Unknown

ସଙ୍ଗୀତ ରତ୍ନ

କନିକା ରାଜପଣ୍ଡିତ ସରସ୍ୱତୀ

ଶ୍ରୀ ଦାମୋଦର ମିଶ୍ର

 

ଉତ୍ସର୍ଗ ପତ୍ର

ଏହି ସଙ୍ଗୀତରତ୍ନଟି ଅଖିଳ-ସଦ୍‌ଗୁଣବତୀ ମତିମତୀ

ଶ୍ରୀମତୀ ସୌଭାଗ୍ୟବତୀ ନରସିଂହପୁର

ପଟ୍ଟମହିଷୀ ଶ୍ରୀ ଶ୍ରୀ କନକଲତା ଦେବୀ

ମହୋଦୟାଙ୍କ କରକମଳରେ

ଭକ୍ତିଶ୍ରଦ୍ଧାର ନିଦର୍ଶନ

ସ୍ୱରୂପ ଅର୍ପିତ

ହେଲା ।

ଇତି

ଅର୍ପୟିତା

ରଚକ

୧।୩।୩୩

 

 

ଭୂମିକା

ମୁଁ ସନ ୧୯୧୪ ମସିହାରେ ଏହି ପୁସ୍ତକଗତ ସଂଗୀତ ଗୁଡ଼ିକ ରଚନା କରି ସମାଲୋଚନା ନିମନ୍ତେ ଉତ୍କଳର ବ୍ୟାସକବି ଶ୍ରୀଯୁକ୍ତ ଫକୀରମୋହନ ସେନାପତିଙ୍କ କରରେ ଅର୍ପଣ କରିଥିଲି, ସେ ମହାତ୍ମା ଏହା ପାଠକରି ଯେଉଁ ପତ୍ର ଲେଖିଥିଲେ, ତାହା ଅବିକଳ ଏହି ପୁସ୍ତକର ସହିତ ସଂଯୋଗ କଲି ଏବଂ ତାଙ୍କ ଆଦେଶାନୁସାରେ ଅତ୍ରତ୍ୟ ସଂଗୀତଜ୍ଞ ଶ୍ରୀ ଗଙ୍ଗାଧର ଆଚାର୍ଯ୍ୟଙ୍କ ସାହାଯ୍ୟରେ ଯେଉଁ ଯେଉଁ ସଂଗୀତର ରାଗ-ତାଳ ଲିଖିତ ହୋଇ ନ ଥିଲା ତାହା ଯଥାଶକ୍ତି ଲେଖିଅଛି । ଏଗୁଡ଼ିକ ଯେ ଏକାନ୍ତ ଭ୍ରମ-ପ୍ରମାଦଶୂନ୍ୟ ତାହା ବୋଲାଯାଇ ନ ପାରେ । ଶିକ୍ଷିତ ସଂଗୀତପ୍ରିୟ ଲୋକମାନେ ଏଗୁଡ଼ିକୁ ସାଦରେ ପାଠ କରିବାର ଦେଖିଲେ ମୁଁ ଶ୍ରମ ସାର୍ଥ ହେଲା ବୋଲି ଚରିତାର୍ଥ ହେବି । ଇତି ।

ପ୍ରଣେତା

ଶ୍ରୀ ଦାମୋଦର ମିଶ୍ରଶର୍ମା

 

ମାନ୍ୟବର-

ଶ୍ରୀଯୁକ୍ତ ପଣ୍ଡିତ ଦାମୋଦର ମିଶ୍ର ମହାଶୟ

ସମୀପେଷୁ-

ମହାଶୟ !

ବିଶେଷ ମନୋଯୋଗ ସହିତ ଆପଣଙ୍କ ‘ସଙ୍ଗୀତରତ୍ନ’ ପୁସ୍ତକଗତ ପ୍ରତ୍ୟେକ ସଙ୍ଗୀତ ପାଠକରି ଆନନ୍ଦିତ ହେଲି । ଉତ୍କଳସାହିତ୍ୟ ସଂସାରରେ ଏହି ପୁସ୍ତକ ଖଣ୍ଡିକ ଉଚ୍ଚସ୍ଥାନ ଅଧିକାର କରିବ; ଏ କଥା ନିଶ୍ଚୟରୂପେ ବୋଲାଯାଇ ପାରେ । ଅନେକଗୁଡ଼ିଏ ସଙ୍ଗୀତର ରାଗିଣୀ ତାଳ ଲିଖିତ ନାହିଁ, ଆଶା କରେଁ ଏହି ଅଭାବ ପୂର୍ଣ୍ଣ କରି ଦେବାକୁ ଭୁଲିବେ ନାହିଁ । ସାହସପୂର୍ବକ ବୋଲୁଅଛି ବର୍ତ୍ତମାନ ସକାଶେ ଦେଶସ୍ଥ ଲୋକ ସାଧାରଣ ପକ୍ଷରେ ପୁସ୍ତକ ଖଣ୍ଡିକ ବିଶେଷ ଉପଯୋଗୀ ଅଟେ । ଉତ୍କଳ ଭାଷାରେ ଶିକ୍ଷଣୀୟ ଅନ୍ୟାନ୍ୟ ବିଷୟ ନିତାନ୍ତ ଅଭାବ ଥିଲେ ମଧ୍ୟ ବହୁ ଶତାବ୍ଦୀ ପୂର୍ବରୁ ଦେଶସ୍ଥ କବିବୃନ୍ଦ ଅନେକ ଗୁଡ଼ିଏ ପୁରାଣ ଅନୁବାଦ ଏବଂ ସଙ୍ଗୀତ ରଚନା ଯୋଗେ ଉତ୍କଳ ସାହିତ୍ୟକୁ ଜାଗ୍ରତ ରଖାଇ ଯାଇଅଛନ୍ତି । ପ୍ରାଞ୍ଜଳ ଶବ୍ଦ ବିନ୍ୟାସ, ରଚନା ପାଟବ ଏବଂ ଭାବ ପ୍ରକାଶର କୌଶଳ ଇତ୍ୟାଦି ବିଷୟମାନ ଆଲୋଚନା କରି ଦେଖିଲେ ସାହିତ୍ୟ ହିସାବରେ ପ୍ରାଚୀନ ସଙ୍ଗୀତମାନ ଅତି ଉଚ୍ଚ ଶ୍ରେଣୀର କବିତା ବୋଲି ସ୍ୱୀକାର କରାଯାଇ ପାରେ । ମାତ୍ର ଗୋଟିଏ ଉତ୍କଟ ଦୋଷ ସମସ୍ତ ଗୁଡ଼ାକୁ ବ୍ୟର୍ଥ କରି ଦେଇଅଛି । ଅଧିକାଂଶ ସଙ୍ଗୀତ ଆଦିରସ ଘଟିତ ଏବଂ ମୁକ୍ତ ଭାବରେ ଅଶ୍ଳୀଳତାପୂର୍ଣ୍ଣ ଅଟେ ଏବଂ ଧର୍ମସଙ୍ଗୀତ ନାମରେ ଯାହା ଦେବାଳୟମାନଙ୍କରେ ମଧ୍ୟ ଭକ୍ତି ପୂର୍ବକ ସଙ୍ଗୀତ ହୁଏ, ଉକ୍ତ ଦୋଷରୁ ନିତାନ୍ତ ବିମୁକ୍ତ ନୁହେ । ଆନନ୍ଦର ବିଷୟ ଅନେକ ଗୁଡ଼ିଏ ସଙ୍ଗୀତ ବିଲୁପ୍ତ ହୋଇ ଗଲାଣି, ବିଲୁପ୍ତ ହେଉଅଛି । ହେବା ବାଞ୍ଛନୀୟ ଅଟେ । ପ୍ରସଙ୍ଗର କିଞ୍ଚିତ୍‌ ଦୂରବର୍ତ୍ତୀ ବିଷୟ ହେଲେ ମଧ୍ୟ ଆନନ୍ଦପୂର୍ବକ ପ୍ରକାଶ କରୁଅଛୁଁ ବାବୁ ଦାମୋଦର ପଟ୍ଟନାୟକ ବାଛି ବାଛି ଅନେକ ଗୁଡ଼ିଏ ସଙ୍ଗୀତ ସଂଗ୍ରହ କରି ଅଛନ୍ତି; ଉତ୍କଳ ଭାଷାର ଗୌରବ ବର୍ଦ୍ଧନ ନିମନ୍ତେ ଏ ଗୁଡ଼ିକ ଚିରକାଳ ବିଦ୍ୟମାନ ରହିବ । ସୁରଙ୍ଗୀ ରାଜ୍ୟର ଶ୍ରୀଯୁତ ରାଜା ସାହେବ ବିଜ୍ଞାନ ସମ୍ମତରୂପେ ଖଣ୍ଡିଏ ସଙ୍ଗୀତଶିକ୍ଷା ପୁସ୍ତକ ପ୍ରକାଶ କରି ଗୋଟିଏ ବିଶେଷ ଅଭାବ ମୋଚନ ପକ୍ଷରେ ସହାୟତା କରିଛନ୍ତି । ଉତ୍କଳ ମାତାର ଏହି ଯୋଗ୍ୟ ସନ୍ତାନଗଣ ଜାତି ସାଧାରଣର ଧନ୍ୟବାଦାର୍ହ ଅଟନ୍ତି । ସମ୍ବାଦପତ୍ରିକା, ବକ୍ତୃତା, ଉପନ୍ୟାସ ଏବଂ ନାଟକ ପ୍ରଭୃତି ଦେଶୀୟ ଭାଷା ପ୍ରଚାର ପକ୍ଷରେ ବିଶେଷ ଅନୁକୁଳ ହେଲେହେଁ ନିତାନ୍ତ ନିରକ୍ଷର ଲୋକମାନଙ୍କ ପକ୍ଷରେ ତାଦୃଶ ଉପଯୋଗୀ ନୁହେଁ । ମାତ୍ର ସଙ୍ଗୀତରେ ଆବାଳବୃଦ୍ଧ ବନିତା ଜ୍ଞାନୀ ମୂର୍ଖ ସର୍ବସାଧାରଣ ବିମୋହିତ । ଗୀତ ଗାଏ ନାହିଁ କାନ୍ଦି ନ ଜାଣେ ପୃଥିବୀରେ ଲୋକ ନିତାନ୍ତ ବିରଳ । ସଙ୍ଗୀତ କ୍ଷୁଧା ତୃଷ୍ଣାରେ ମାନବ ଜାତିର ଗୋଟିଏ ପ୍ରକୃତିଦତ୍ତ ଗୁଣ ଅଟେ । ନିତାନ୍ତ ଶିଶୁମାନଙ୍କ ହାତତାଳି ଦେଇ ନାଚିବା ଏବଂ ପାଟିକରି ଗୀତ ଗାଇବା କିଏ ଶିଖାଇଲା ? ସଂଗୀତ କେବଳ ଆମୋଦପ୍ରମୋଦ ସମ୍ଭୋଗ ସକାଶେ ନୁହେ । ଏହା ସ୍ୱାସ୍ଥ୍ୟ ଏବଂ ଆୟୁବର୍ଦ୍ଧନ ପକ୍ଷରେ ବିଶେଷ ସହାୟ । ସଂଗୀତ-ଚର୍ଚ୍ଚାଯୋଗେ ମାନବ ଦେହର ଫୁସ୍‌ଫୁସ୍‌ ଯନ୍ତ୍ର ସବଳ ହେବା ଯୋଗୁଁ ଦେହକୁ ଅନେକପ୍ରକାର ରୋଗରୁ ବିମୁକ୍ତ କରାଏ । ଫରାଶୀ ଜାତି ପୃଥିବୀସ୍ଥ ଅନ୍ୟାନ୍ୟ ଜାତିଠାରୁ ବିଶେଷ ସଂଗୀତପ୍ରିୟ, ଏଥକୁ ତୁଳନାରେ ଅନ୍ୟାନ୍ୟ ଜାତିଠାରୁ ସୁସ୍ଥ ଶରୀର ଏବଂ ଦୀର୍ଘଜୀବୀ । କେବଳ ଶରୀର ପକ୍ଷରେ ନୁହେ, ସଂଗୀତ ମାନବ-ଜାତିର ସର୍ବ ପ୍ରକାର ଚିତ୍ତବୃତ୍ତିର ଉତ୍ତେଜନାକାରୀ । ଏଥକୁ ଈଶ୍ୱରାରାଧନାସମୟ ଏବଂ ସମରାଙ୍ଗଣରେ ବିଶେଷ ସହାୟ ଅଟେ । ଆବହମାନ କାଳରୁ ପୂଣ୍ୟକ୍ଷେତ୍ର ଭାରତବର୍ଷସ୍ଥ ଆର୍ଯ୍ୟଜାତି ମଧ୍ୟରେ ବାହୁଲ୍ୟରୂପେ ସଂଗୀତଚର୍ଚ୍ଚା ହୋଇ ଆସୁଥିବା ପର୍ଯ୍ୟାପ୍ତ ପ୍ରମାଣ ବିଦ୍ୟମାନ । ଅନ୍ୟତମ ସାମବେଦ ଖଣ୍ଡିକ ସଂଗୀତମୟ । ସଭ୍ୟତାର ସମ୍ପର୍କ ରହିତ ଅରଣ୍ୟ ଜାତିମାନେ ମଧ୍ୟ ସଂଗୀତ ସମ୍ପର୍କଶୂନ୍ୟ ନୁହନ୍ତି । ମାନବଜାତି କଥା ଥାଉ, ଦେବତା, ପିଶାଚ, ରାକ୍ଷସ, ଦୈତ୍ୟଦାନବ, କେହି ସଂଗୀତ ସଂପର୍କବିହୀନ ନୁହନ୍ତି । ଗନ୍ଧର୍ବ ଅପ୍‌ସରା ଜାତିମାନେ ପ୍ରକୃତି ସଂଗୀତ ବ୍ୟବସାୟୀ ଜାତି ଅଟନ୍ତି । ଅଧିକ କ’ଣ ହସ୍ତୀ, ମୃଗ, ସର୍ପ, ପକ୍ଷୀ, ତିର୍ଯ୍ୟକ୍‌ ଜାତିମାନେ ମଧ୍ୟ ସଂଗୀତବିମୁଗ୍‌ଧ ଅଟନ୍ତି । ଦାରୁଣ ଦୁଃଖର କଥା, ମାନବ ଜାତିର ଅବଶ୍ୟ ଅବଲମ୍ବନୀୟ ଦେବଦୁର୍ଲ୍ଲଭ ବିଷୟଟି ଆମ୍ଭମାନଙ୍କ ଦେଶରେ ଥୋକେ ଶିଥିଳ ଚରିତ୍ର ଲୋକହସ୍ତରେ ବିନ୍ୟସ୍ତ ଅଛି । ଆମ୍ଭମାନଙ୍କ ସମାଜରେ ବିଶେଷ ଉତ୍ସବ ବା ମଙ୍ଗଳ କାର୍ଯ୍ୟରେ ଆନନ୍ଦ ବର୍ଦ୍ଧନ ନିମନ୍ତେ ଗୁଡ଼ାଏ ଅମଙ୍ଗଳା ଆହୁତା ହୁଅନ୍ତି । ସଂଗୀତ ନାମରେ ସେହି ନରକଦୂତୀମାନଙ୍କର କଦର୍ଯ୍ୟ ଅଙ୍ଗସଞ୍ଚାଳନ ବିକୃତ ତାନ ଲୟ ଚିତ୍କାରକୁ ପିତାପୁତ୍ର ମାତାପୁତ୍ରୀ ଏକ ସଙ୍ଗରେ ବସି ଦର୍ଶନ-ଶ୍ରବଣ ସକାଶ କିଞ୍ଚିତ୍‌ ମାତ୍ର ହେଲେ ନୀତିବିରୁଦ୍ଧ ବିଷୟ ବୋଲି ବିବେଚନା କରନ୍ତି ନାହିଁ । ନୀଚଶ୍ରେଣୀ ବ୍ୟବସାଜ୍ଞାନରେ ଭଦ୍ରସନ୍ତାନ ତଥା କୁଳଲଳନାମାନେ ସଂଗୀତ ବ୍ୟବସାକୁ ଲଜ୍ଜାକର ମନେ କରୁଥିଲେ । ଅନେକ ବର୍ଷ ପୂର୍ବେ ମୁଁ ଥରେ ପାରଳାଖିମଡ଼ିକୁ ଯାଇ ଶ୍ରୀଯୁତ ମହାରାଜଙ୍କ ସ୍ଥାପିତ ଦୁଇ ଗୋଟି ବାଳିକା-ବିଦ୍ୟାଳୟ ଦେଖିଥିଲି । ଗୋଟିଏ ତୈଲଙ୍ଗୀ, ଆଉ ଗୋଟିଏ ଉତ୍କଳୀ । ତୈଲଙ୍ଗୀ ବିଦ୍ୟାଳୟରେ ଶିକ୍ଷକ ବୟାଲ ବଜାଇଲେ ଦେବକନ୍ୟା ପରି ବାଳିକାମାନଙ୍କ ସଂଗୀତ ନର୍ତ୍ତନ ଦେଖି ବିମୋହିତ ହୋଇଗଲି; ଉତ୍କଳୀ ବାଳିକା ବିଦ୍ୟାଳୟକୁ ଯାଇ ଦେଖିଲି ଏହି ମନୋହର ବିଦ୍ୟାଟି ସେସ୍ଥାନରେ ପ୍ରବେଶଲାଭ କରି ନାହିଁ । ହାୟ, ଆମ୍ଭମାନଙ୍କ କୁଳଲକ୍ଷ୍ମୀମାନଙ୍କର ସଂଗୀତଶିକ୍ଷା ନିମନ୍ତେ କେବେ ବୃହନ୍ମଳା ପାର୍ଥ ନିଯୁକ୍ତ ହେବେ । ନିତାନ୍ତ ଆନନ୍ଦର ବିଷୟ ଶିକ୍ଷା ଏବଂ ସଭ୍ୟତା ପ୍ରଚାର ସହିତ ଉକ୍ତପ୍ରକାର ମାରାତ୍ମକ କଥା କ୍ରମଶ ରହିତ ହୋଇ ଯାଉଅଛି । ଦେଶର ସର୍ବବିଷୟର ଭରସାର ସ୍ଥଳ ଶିକ୍ଷିତ ଯୁବକମାନେ ସଙ୍ଗୀତଚର୍ଚ୍ଚା ଏବଂ ନାଟକାଭିନୟ କରଣୀୟ ଜ୍ଞାନରେ ସେଥିରେ କ୍ରମଶ ପ୍ରବୃତ୍ତ ହେଉଛନ୍ତି । ଆମୋଦପ୍ରମୋଦ ଛାଡ଼ି ମଧ୍ୟ ଧର୍ମ୍ମଚର୍ଚ୍ଚା ସକାଶ ସଂଗୀତ ବିଶେଷ ପ୍ରୟୋଜନ ଅଟେ । ବ୍ରାହ୍ମ, ବୈଷ୍ଣବ, ଖ୍ରୀଷ୍ଟାନ୍ନ, ମୁସଲମାନ, ବୌଦ୍ଧ, ସମସ୍ତ ଧର୍ମ୍ମାବଲମ୍ବୀ ସର୍ବଦେଶୀୟ ଲୋକେ ସଂଗୀତକୁ ଧର୍ମ୍ମସାଧନର ଗୋଟିଏ ବିଶେଷ ଅଙ୍ଗ ଜ୍ଞାନରେ ଅବଲମ୍ବନ କରିଥାନ୍ତି ।      

 

ପୂର୍ବାଚାର୍ଯ୍ୟମାନଙ୍କର ମତ ଶତଥର ଈଶ୍ୱର ନାମ ଉଚ୍ଚାରଣରେ ଯେଉଁ ପୂଣ୍ୟ, ଥରେ ଧ୍ୟାନରେ ସେହି ପୁଣ୍ୟ; ଶଏଥର ଧ୍ୟାନରେ ଯେଉଁ ପୂଣ୍ୟ, ଥରେ ସଂଗୀତରେ ସେହି ପୂଣ୍ୟ; କାରଣ ସଂଗୀତରେ ସର୍ବଶରୀର ବିକମ୍ପିତ ହୋଇଯାଏ, ଅର୍ଥାତ୍‌ ପ୍ରତ୍ୟେକ ରକ୍ତବିନ୍ଦୁ ଈଶ୍ୱରାରାଧନାରେ ନିଯୁକ୍ତ ହୁଅନ୍ତି ।

 

ବର୍ତ୍ତମାନ ପ୍ରୟୋଜନ ସମୟରେ ଆପଣ ଏହି ପୁସ୍ତକ ଖଣ୍ଡିକ ପ୍ରଣୟନ ଦ୍ୱାରା ଧର୍ମସଂଗୀତ ବାହୁଲ୍ୟ ପ୍ରଚାର ସମ୍ବନ୍ଧେ ବିଶେଷ ସହାୟତା କରିଅଛନ୍ତି । ଉପସ୍ଥିତ ‘‘ସଂଗୀତରତ୍ନ’’ ଈଶ୍ୱରସ୍ତବ, ଧର୍ମ୍ମନୀତି, ସୁନୀତିପରିପୂର୍ଣ୍ଣ ଗୃହପଞ୍ଜିକା ପରି ପ୍ରତ୍ୟେକ ଶିକ୍ଷିତ ଭଦ୍ରଲୋକ ଘରେ ଶିକ୍ଷିତା କୁଳଲଳନାମାନଙ୍କ ହସ୍ତରେ ଖଣ୍ଡିଏ ଖଣ୍ଡିଏ ପୁସ୍ତକ ରହିବା ନିତାନ୍ତ ବାଞ୍ଛନୀୟ ଅଟେ--ଇତି-

 

ତା ୮।୩।୧୫ ରିଖ

ଆପଣଙ୍କ ବଶମ୍ବଦ

ମଲ୍ଲିକାଦେଈପୁର

ଶ୍ରୀ ଫକୀରମୋହନ ସେନାପତି

 

ସୂଚି-ପତ୍ର

୧ ।

ଘୋଷ ରେ ଆଜ...

୨ ।

ସଚିନ୍ତ ହେଉଛ ହରି...

୩ ।

(ହରି) ଅବଧି ତୁମ୍ଭ

୪ ।

ଭକ୍ତବନ୍ଧୁ ଭବସିନ୍ଧୁ

୫ ।

ପଡ଼ୁ ନାହିଁ ଦିନେ

୬ ।

ଭଜ ଅବିରତ ମନ...

୭ ।

ଅଛି କି ଆଉ ମୋହର...

୮ ।

ଆଉ ମୁରହର...

୯ ।

ମନେ ମନେ ବଡ଼

୧୦।

ସେଦିନ ଭାଙ୍ଗିବ

୧୧।

ଏ ବେଶ କାହିଁକି ଆଜ...

୧୨।

ଆଉ କି କହିବି

୧୩।

ଏ କଥା ନ ଆସେ

୧୪।

ଭକ୍ତିବୁଟୀରେ, ଡାକ...

୧୫।

କେତେଦିନ ପରାତ୍ପର...

୧୬।

ଆସ ଆସ ଆସ ପାଶେ...

୧୭।

ଏହା ନୁହେଁ କି ହେ...

୧୮।

ମନ ପାଗଳରେ...

୧୯।

ଘେନ ମୋହର ହେ...

୨୦।

ତ୍ରିଭୁବନରାଜ କି

୨୧।

ଜୟ ଦୁର୍ଗେ ଦୁର୍ଗତି...

୨୨।

ହେ ଭାବଘାଟିଆ

୨୩।

(ଏବେ) ଆସିଲାଣି

୨୪।

କାହିଁକି, ପରାଣ,

୨୫।

ଭକତସଖା ଦେଖା

୨୬।

ସତେ କି ବସାଇ

୨୭।

ମୋତେ ଜଗଦୀଶ...

୨୮।

ଏ ଜୀବନେ, ସଖା...

୨୯।

ଫେଡ଼ିବ କିଏ ମାଧବ...

୩୦।

ତାଙ୍କରି ମୋହନ ଛବି...

୩୧।

ରେ ମନ-କୀର...

୩୨।

ରେ କଳ୍ପଖଗ,...

୩୩।

ପୁଣ୍ୟ କରିବାରେ

୩୪।

ରାଧେକୃଷ୍ଣ ରାଧେକୃଷ୍ଣ...

୩୫।

ଛାଡ଼ି ଦେ ଛାଡ଼ି ଦେ...

୩୬।

ଗୋ ଭକ୍ତିଲତେ

୩୭।

ହେ ପୀତବାସ

୩୮।

କେବେ ମଧୁର

୩୯।

ଗୋ ଆଶାଲତେ...

୪୦।

(ହରି) ନାମରତ୍ନଯତ୍ନ...

୪୧।

କେତେ ଦୂରେ ଅଛି...

୪୨।

କାଲ ହେଲ କି...

୪୩।

କେ ଜାଳିଲା ମଣିଦୀପ...

୪୪।

ଆଗରୁ ଭାବି ରଖ

୪୫।

ପାପୀ ପ୍ରେତଙ୍କର...

୪୬।

ଆନନ୍ଦେ ଜୀବନ ଶୁକ...

୪୭।

ପାଇବୁ ଗତି, ବୋଲ...

୪୮।

ଇଚ୍ଛା ଥିଲେ ଜୀବ

୪୯।

(କହ) କେ ତୋତେ...

୫୦।

ଦେବଦେବ ନିଜ...

୫୧।

ଶ୍ରୀନିବାସରେ ! ଆସ...

୫୨।

କେତେଦିନ ପାଇଁ

୫୩।

ହେ ଅନ୍ଧସ୍ୱାମୀ,...

୫୪।

ଶ୍ରୀନାଥ ମୋର

୫୫।

ଭବଭିକାରୀ, ଭିକରେ...

୫୬।

ନ ଜାଣୁ ଆସିବ

୫୭।

ଯାହା ହେବାର ଥିଲା ତା

୫୮।

ଏ ଲୋକଟା ବଡ଼...

୫୯।

ବିଶ୍ୱପାବନ, ଲୁଚିଲେ...

୬୦।

କାନ୍ଦିବି କି ଶୁଣି

୬୧।

ହୁଅ ନାହିଁ ତୁ ଅଥୟ...

୬୨।

ଦିନେତ ମହାପଥରେ...

୬୩।

ପାଇବୁ ଯେବେ

୬୪।

(ମୋର) ମନଟାତ

୬୫।

ଘୋଷ ରାସରସିକ

୬୬।

ଛାଡ଼ ସବୁ ଅଭିମାନ

୬୭।

ଅନନ୍ତ ଏ ତ ତୁମରି...

୬୮।

ସେହି ଶ୍ରୀବତ୍ସ...

୬୯।

ସତେ କି ମୋର

୭୦।

କାହାଲାଗି ପରାଧୀନ...

୭୧।

ମା ଗୋ, ଦେବି

୭୨।

ଆସିଛି ବରସା

୭୩।

ଆଉ କି ମିଳେ

୭୪।

ଧାଇଁଛି ଦେଖ

୭୫।

ଆଶୁ କରୁ ଗୋ-

୭୬।

ପାରି କରିବେ ସେ,...

୭୭।

ହୋଇବ କି ଦେଖା...

୭୮।

ବିଶ୍ୱ ଅମୀନ

୭୯।

ହରି-ଭକ୍ତିରେ ମୁଁ

୮୦।

ଦୀନବନ୍ଧୁ ମୋ ଦିନ

୮୧।

ବାଟକାସାର, ତୁ

୮୨।

ଭାଇ ଦୀନତା,

୮୩।

ହୋଇଲେ ଗଢ଼ା

୮୪।

କ୍ଷମାକର ଅପରାଧ

୮୫।

ଏଣୁ ମୁଁ ଶରଣ

୮୬।

ପୂଜା କରିବି କିରୂପେ...

୮୭।

କେହି କି ରହିବ

୮୮।

(ମନ) ତଥାପି ତୃଷା...

୮୯।

ଏହି କଥାରେ

୯୦।

ମାନବ, ତୋର କି

୯୧।

ନିଅ ଜବ ଦାସେ

୯୨।

ଅକୂଳ ଭୁବନାନନ୍ଦ

୯୩।

ତଳ ପତନର

୯୪।

କାଳି ନ ରଖ

୯୫।

ଆନନ୍ଦ ଚିତ୍ତରେ

୯୬।

ବିଶ୍ୱପାବନ, ରହିଛ...

୯୭।

ତୋ ଅନୁସରି, ମୁଁ

୯୮।

ଘାରି ରହିଛ ହରି...

୯୯।

କାହାକୁ ନଦିଅ କିସ...

୧୦୦।

ହେ ବିଶ୍ୱ-ଈଶ୍ୱର

୧୦୧।

ହରି ହୋଇଲେ

୧୦୨।

ଗ୍ରୀଷ୍ମଶେଷେ ଆସିଲା

୧୦୩।

ବିଶ୍ୱନାଥ ଭବଜନେ...

୧୦୪।

ମନମାତଙ୍ଗ, ଛାଡ଼

୧୦୫।

(ଆରେ) ମାନବ

 

 

ଶ୍ରୀଶିବଦୁର୍ଗାଭ୍ୟଂ ନମୋନମଃ

ସଙ୍ଗୀତରତ୍ନ

———————

ତାଳ-ଝୁଲା

ରାଗ ‘କାଞ୍ଚନଗୋରି କାଞ୍ଚିବଜାରେ ଘୁଞ୍ଚି ନ ବସ’ ବୃତ୍ତେ

ଘୋଷରେ ଆଜ ଘୋଷରାଜ-ତନୁଜ ମଧୁର ନାମେ ହେ ।

ମାତ ନା ବର-ଯାତନାକର ଭଙ୍ଗୁରତର କାମେ । ପଦ ।

 

ଶର୍ବ ସର୍ବଦା ଡମ୍ବରୁ ନାଦେ, ଗାଏ ବିଧି ଯା ନିଗମବାଦେ ।

ଅନନ୍ୟ ତାନେ, ପଞ୍ଚମ ତାନେ, ନାରଦ ସୁରଧାମେ । ୧ ।

 

କାଳଦୂତ ଦର୍ଶନ ଭୟେ, ଡାକିଲା ଅଜାମିଳ ତନୟେ ।

ଯେ ନାମଶକ୍ତି, ହେତୁରୁ ମୁକ୍ତି ପାଇଲା ପରିଣାମେ । ୨ ।

 

ଭକ୍ତିଭାବରେ ଉଚ୍ଚାରି ବାରେ, ଯାଅ ସଂସାର ସିନ୍ଧୁ ପାରେ ।

ଏ ଶୁଭ ଯୋଗେ, କାଟ ନା ଭୋଗେ, ବାସର ଗତଯାମେ । ୩ ।

 

ଦେଶକାଳ ନିୟମ ନାହିଁ, ବୋଲ ରେ ହରେକୃଷ୍ଣ ତୁହାଇ ।

ଯାର ଚିନ୍ତନେ, ଭବଗହନେ, ଆପଦଚୟ ଶାମେ । ୪ ।

———————

 

ରାଗ ଖମ୍ବାଜ-ଗଜଲି ଯତ୍‌

ସଚିନ୍ତ ହେଉଛି ହରି ଭାବି କି ମୋ ଅତ୍ୟାଚାରେ ।

ତବ ପକ୍ଷେ ଏ ଉଚିତ ନୁହେଁ ପ୍ରଭୁ ମୋ ବିଚାରେ । ପଦ ।

 

ତୁମ୍ଭେ ପତିତପାବନ, ବୋଲାଉଛ ତ୍ରିଭୁବନ ।

ଏ ନାମେ କି ପ୍ରୟୋଜନ ? ନ ତାରିଲେ ଦୂରାଚାରେ । ୧ ।

 

ମୋଭଳି ଜଗତେ ପାପୀ, ଜନମି ନାହିଁ ଅଦ୍ୟାପି,

ଦିନ ରାତି ବିଶ୍ୱବ୍ୟାପୀ, କାଟିଛି ମୁଁ ବ୍ୟଭିଚାରେ । ୨ ।

 

ଭକ୍ତିହୀନ ପାପଚୟ, ଯଦି ନ କରିବ କ୍ଷୟ ।

ହୋଇବ କି ଦୟାମୟ, ଦୟାକରି ପରିଚାରେ । ୩ ।

 

ଭାବିବାର ନାହିଁ କାଳ, ନିଜ ବ୍ରତକୁ ସମ୍ଭାଳ,

ନ ହେଲେ ହୋଇବ କାଳ, ସବୁ ଅଯଶ ପ୍ରଚାରେ । ୪ ।

———————

 

ରାଗ କାମୋଦୀ-ଏକତାଳି

(ହରି)      ଅବଧି ତୁମ୍ଭ ଦେଖା ନୋହିଲା ହେ ।

ଶେଷ ନିଶ୍ୱାସ ଆସି ବହିଲା ହେ । ପଦ ।

 

ବିରୂପ ସ୍ୱରଭଙ୍ଗ, କରି କଫତରଙ୍ଗ,

(ମହା)      ଯାତ୍ରାର ଅନୁକୂଳ କହିଲା ହେ । ୧ ।

 

ପ୍ରିୟ ଦାରା ତନୟ, ନେବେ କାହା ଆଶ୍ରୟ,

(ଏହି)      ଚିନ୍ତା-ଅନଳ ଚିତ୍ତେ ଦହିଲା ହେ । ୨ ।

 

ଅବଶ ଅବୟବେ, ପଡ଼ିରହି ନୀରବେ,

(ଏବେ)      ଯାତନା ଖାଲି ଦେହ ସହିଲା ହେ । ୩ ।

 

ଭକ୍ତ-ହୃଦୟବାସୀ, ତୁମ୍ଭଙ୍କୁ ସର୍ବଗ୍ରାସୀ,

(ମମ)      ନିୟତି ନିର୍ଦ୍ଦୟ କି ବିହିଲା ହେ । ୪ ।

 

ପୂରିଲା ନାହିଁ ଆଶା, ବଢ଼ିଲାଣି ପିପାସା,

(ମୋର)      ମନର କଥା ମନେ ରହିଲା ହେ । ୫ ।

———————

 

ରାଗ ‘କାନ୍ଦି କାନ୍ଦି ଆଖି ପାଣି’ ବୃତ୍ତେ-ତାଳ କଓ୍ୟାଲି

ଭକ୍ତବନ୍ଧୁ ଭବସିନ୍ଧୁ ପାପିତାପି ଦୁଷ୍ପାର ।

କେବେ ପାତ୍ର ହୋଇବି ମୁଁ ଦୀନ ତବ କୃପାର । ପଦ ।

 

ମାନବ ଅଗମ୍ୟ କୂଳ, କାମାଦି ନତ୍ରେ ଆକୁଳ,

ଉତ୍ତୁଙ୍ଗ ଆଶା-ତରଙ୍ଗ ଉଠେ ତହିଁ ଅପାର । ୧ ।

 

ସୁହୃଦ ବନ୍ଧୁ ବୁଦ୍‌ବୁଦ, ଦେଖାଇ କ୍ଷଣିକ ମୁଦ,

ଅବଲମ୍ବନ କରନ୍ତି ରୀତିଗତି ଶମ୍ପାର । ୨ ।

 

ରୋଗ ଶୋକ ଜଳ ଭ୍ରାନ୍ତି, କଦାପି ନ ଲଭେ ଶାନ୍ତି,

ଉତ୍ଥାନ ପୁଣି ପତନ ତହିଁ ଏହି ବେପାର । ୩ ।

 

କୁ-ବିଷୟ-ଆଶୀବିଷେ, ଅତି ଭୟଙ୍କର ଦିଶେ,

ତୁମ୍ଭ ଦୟା ବିନା ତାକୁ ହେବ ଭବେ କେ ପାର । ୪ ।

--------

 

ରାଗ ମାରୁଆ-ତାଳ ଆଠତାଳି

ପଡ଼ୁନାହିଁ ଦିନେ ମନେ ଏକଥା ତୋହର ।

ଚାହୁଁ ଚାହୁଁ ହେଲା ଆସି ଚରମ ପହର । ପଦ ।

 

ଅତିଦୁଃଖେ ଉପାର୍ଜ୍ଜିତ, ପୁତ୍ର ମିତ୍ର ଦାରାବିତ୍ତ,

ଏମାନେ କେବଳ ସଙ୍ଗୀ ପାର୍ଥିବ ଦେହର । ୧ ।

 

 

ଜଗତ କ୍ଷଣଭଙ୍ଗୁର, ଜନମିଲେ ମରେ ସୁର,

ଜାଣୁ ଜାଣୁ ଲୋକେ ବଶ ହୁଅନ୍ତି ମୋହର । ୨ ।

 

ଭୋଗ କରେ ଯାହା ଲୋକ, ହୃଦୟବିଦାରୀ ଶୋକ,

ସେତ ବିଷମୟ ଫଳ ବିଷୟ ସ୍ନେହର । ୩ ।

 

ସହି ଭୟଙ୍କର ଦୁଃଖ, ଲଭିଲେ କ୍ଷଣିକ ସୁଖ,

ମୁହୂର୍ତ୍ତକେ ଲୁଟିନିଏ କାଳ ଖିଳହର । ୪ ।

———————

 

ରାଗ ଆରବି-ତାଳ ଝୁଲା

ଭଜ ଅବିରତ ମନ ଶ୍ମଶାନବାସୀ ଶଙ୍କରେ ।

ଏ ଭୀଷଣ ଭବବଣେ ହେବୁ ଯେବେ ନିଃଶଙ୍କ ରେ । ପଦ ।

 

ତାଙ୍କ ଶ୍ରୀଚରଣେ ପ୍ରୀତି, କଲେ ଦୂର ହେବ ଭୀତି,

କରନ୍ତି ସେ ପଶୁପତି, ଅଧିକ ଦୟା ରଙ୍କରେ । ୧ ।

 

ଭାବ ସଦା ଶିବ ଶିବ, ବିନଷ୍ଟ ହେବ ଅଶିବ,

ଜୀବ ଅମରେ ମିଶିବ, ନ ବୁଡ଼ି ପାପପଙ୍କରେ । ୨ ।

 

 

 

ମାନି ତୁ ମୋହର ମନା, ତେଜି ବିଷୟ-କାମନା,

କରି ତାଙ୍କ ଅରଚନା, ଫାଙ୍କି ଦେ କାଳକିଙ୍କରେ । ୩ ।

 

ଭବ ବିନା ଭବୁ ପାର, କରିବା ଶକ୍ତି କାହାର,

ସେ ଟଙ୍କଧରଙ୍କ ଛବି, ଅନ୍ତ ଫାଙ୍କରେ ଅଙ୍କାରେ । ୪ ।

 

ବୋଲେ ବିପ୍ର ଦାମୋଦର, ସଦାଶିବ ସେବା କର,

ଶୋଇ ରହ ନା ତୁ ଛାର, ଆଶା ଅଙ୍କ-ପଲଙ୍କରେ । ୫ ।

---------------

 

ରାଗ ବସନ୍ତ-ତାଳ ଆଠତାଳି ବା ଯତ୍‌

 

ଅଛି କି ଆଉ ମୋହର ସେ ମଧୁର ବେଶ ।

ପଡ଼ିଲାଣି ଦାନ୍ତ ଧଳା ହୋଇଲାଣି କେଶ । ପଦ ।

 

ଲୋଚା ହେଲାଣି ଚରମ, ପୁଣି ମନର ଭରମ,

ଧୀରେ ଧୀରେ ଚାଲେ ବାଟ ମାରି ବାଡ଼ିଠେଶ । ୧ ।

 

ମାଡ଼ିଯିବାରୁ ପରଳ, ଆଖି କି ନ ଦିଶେ ଭଲ,

ଥର ଥର କମ୍ପେ ଦେହ ସହେ ବହୁ କ୍ଲେଶ । ୨ ।

 

 

ମୋର ଅରଜିତ ଧନେ, ବଢ଼ିଛନ୍ତି ଯେଉଁଜନେ,

ସେ ଆଜି ମାନନ୍ତି ନାହିଁ ତିଳେ ମୋ ଆଦେଶ । ୩ ।

 

ମୋ ପ୍ରିୟ ଦାରାନନ୍ଦନେ, ବିଲୋକି ବିଷ-ନୟନେ,

ଭାବନ୍ତି ଏ ବୁଢ଼ାଟାର କେବେ ହେବ ଶେଷ । ୪ ।

 

ହୋଇଛି ଯାହା ହେବାର, ନାହିଁ ବେଳ କହିବାର,

ଶାନ୍ତିଲାଭ ହେବ ହରି କଲେ କୃପା ଲେଶ । ୫ ।

---------------

 

ରାଗ ‘କହ ମା ଶାରଳେ’ ବୃତ୍ତେ-ତାଳ ଏକତାଳି

 

ଆଉ ମୁରହର ଶ୍ରୀପଦେ ମୋହର ନାହିଁ କିଛି କହିବାର ହେ ।

ଆଜି ବିଶ୍ୱମ୍ଭର ଆସିଛି ତୁମ୍ଭର କରିବାକୁ ଉପକାର ହେ । ପଦ ।

 

ଘେନିଣ ବିନତି, ଅଚିରେ ଶ୍ରୀପତି, ଏ ଅଧମେ ଭବୁଁ ତାର ହେ ।

ନତାରିଲେ ଅଳ୍ପ, ଦିନେ ହେବ କଳ୍ପ-ତରୁକୋଳ ଅବତାର ହେ । ୧ ।

 

ରସାତଳେ ମହୀ, ପଡ଼ିବ ନ ସହି, ଏହା ଗୁରୁ ପାପଭାର ହେ ।

କଲେ ଉତ୍ତୋଳନ, ସକଳ ଦଶନ, ଭାଙ୍ଗି ତ ଯିବ ଏବାର ହେ । ୨ ।

 

 

ଦିଶିବ ମଳିନ, ଶ୍ରୀମୁଖନଳିନ, ପରିଶ୍ରମ ହେବ ସାର ହେ ।

ତୁମ୍ଭର ଅବଳା, ହସିବେ କମଳା, ତାଳିଦେଇ ବାରବାର ହେ । ୩ ।

 

ନ ପାରିଲେ କ୍ଷିତି, ଉଠାଇ ଅକୀର୍ତ୍ତି, ହୋଇବ ତ ଦୁର୍ନିବାର ହେ ।

କରୁଣାନିଧାନ, କଲି ସାବଧାନ, କର ଯାହା ସୁବିଚାର ହେ । ୪ ।

———————

 

ରାଗ ‘ହରିଚରଣରେ ଚିତ୍ତଲଗାରେ’ ବୃତ୍ତେ-ତାଳ ଏକତାଳି

 

ମନେ ମନେ ବଡ଼ ହୋଇଛୁ ଆନନ୍ଦୀ, ରେ କାଳବନ୍ଦୀ । ପଦ ।

ଚିପି ଗରିବଙ୍କ ତୋଟି, ନିତି ଧନପ୍ରାଣ ଲୋଟି,

ବୋଲାଉଛୁ ତୁ ଜଗତେ ଫନ୍ଦୀ ରେ । ୧ ।

 

ଲୁଚି କରୁ ଯେ ପାତକ, ଜାଣଇ ତାହା ଅନ୍ତକ,

ତାର ଚାର ବୁଲେ ସନ୍ଧି କନ୍ଦି ରେ । ୨ ।

 

ସେ ବଡ଼ କୃତୀ ନୀତିରେ, ଛାଡ଼ି ଦେଇଛି କ୍ଷିତିରେ,

ମୋହ-ପାଶେ ତୋର ପାଦ ଛନ୍ଦି ରେ । ୩ ।

 

ଯେ ଦିନ ଧରାଇନେବ, ସମୁଚିତ ଦଣ୍ଡ ଦେବ,

ସେତେବେଳେ ହୋଇବୁ ତୁ ଧନ୍ଦୀ ରେ । ୪ ।

 

ଦ୍ୱିଜ ଦାମୋଦର ଭାଷେ, ନ ଯିବୁ ତୁ ତାର ପାଶେ,

ରାମନାମ-ଗାନେ ହେଲେ ବନ୍ଦୀ ରେ । ୫ ।

———————

 

ରାଗ ବସନ୍ତବାହାର-ତାଳ ଯତ୍‌

 

ସେଦିନ ଭାଙ୍ଗିବ ତୋର ଏ ସୁଖ ସ୍ୱପନ ।

ଯେବେ ଉଦେ ହେବ ହୃଦେ ଚେତନା-ତପନ । ପଦ ।

 

ଦେଖି ଏ ପ୍ରିୟ ସଂସାର, ଫେନ ଆକାର ଅସାର,

ବିଷାଦଭରେ ମଳିନ ହୋଇବ ଲପନ । ୧ ।

 

ବୁଝିବୁ ସବୁ ବିଷୟ, ପରିଣାମେ ବିଷମୟ,

ନରକ ଯାତନା ଭାବି ଭଜିବୁ କମ୍ପନ । ୨ ।

 

ଚିନ୍ତି ଆପଣାର ପାପ, ଜନମିବ ଅନୁତାପ,

ବୃଥା କଥାରେ ହୋଇଚି ସମୟ ଯାପନ । ୩ ।

 

ଭକତିପୂତ ହୃଦୟ-କେଦାରେ ସଦା ନିଶ୍ଚୟ,

ଜଗଦୀଶ ପ୍ରେମବୀଜ କରିବୁ ବପନ । ୪ ।

———————

 

ରାଗ ଶୋକକାମୋଦୀ-ତାଳ ଆଠତାଳି ବା ଯତ୍‌

ଏ ବେଶ କାହିଁକି ଆଜ, ଆହେ ଦେବରାଜ ।

ଅନନ୍ତଭଣ୍ଡାରେ ସାଇତିଛ କେତେ ନୂଆ ନୂଆ ଇଚ୍ଛାସାଜ । ପଦ ।

କୋଟିଏ ଅମ୍ବର, ଦେଇ ପୀତାମ୍ବର, ହରିଛ ଦ୍ରୌପଦୀ ଲାଜ ।

ଛିଣ୍ଡାକନ୍ଥା ହରି, ପରିଧାନ କରି, ଦେଖାଉଛ କିପାଁ ବ୍ୟାଜ । ୧ ।

କୃପାବିଲୋକନେ, ଶ୍ରୀଦାମାକୁ ଧନେ, କରିଅଛ ରାଜରାଜ୍‌ ।

ଝୁଲିଥାଳ କରେ, ଫେର ଘରେ ଘରେ, ପଢ଼ୁଛ ପୁଣି ନିମାଜ । ୨ ।

ତୁଚ୍ଛ ଶଙ୍ଖଭବ, ମାଳାରାଜୀ ତବ, କଉସ୍ତୁଭ ସ୍ଥାନଭାଜ ।

ନ ଦେଲେ ଶିରଣୀ, କଟାଅ କରଣି, ଯେପରି କି ଦଗାବାଜ । ୩ ।

ହେ ବୁଢ଼ାଫକୀର, ଧରି ଏ ରୁଚିର, ବେଶ ବିଶ୍ୱ-ଦ୍ୱିଜରାଜ ।

ଶ୍ରୀପଦ କିଙ୍କର, ଦ୍ୱିଜ ଦାମୋଦର-ହୃଦୟେ ସଦା ବିରାଜ । ୪ ।

———————

 

ରାଗ ମରୁଆ-ତାଳ ଆଠତାଳି

 

ଆଉ କି କହିବି, ଏ ମୋହର ଦୋଷ, ହେ ଆଶୁତୋଷ । ପଦ ।

ଶତକୋଟି ଜନ୍ମକୃତ ସୁକୃତରୁ, ପାଇଥିଲି ଚାରୁ ବାଞ୍ଛା-କଳ୍ପତରୁ,

ତେଜି ଜୀବ ଶ୍ରେୟ, ମାଗିଲି ମୁଁ ହେୟ, ଆୟୁ ସୁତ ଯଶ କୋଷ ହେ । ୧ ।

 

ବିମଳ ଶୀତଳ ସୁଧାସିନ୍ଧୁକୂଳେ, ଭ୍ରମିଲି ଅନେକ ପିପାସା ଆକୁଳେ ।

କଲି ନାହିଁ ପାନ, ସେ ବାରି ଅଜ୍ଞାନ, କରୁଅଛି କଣ୍ଠଶୋଷ । ୨ ।

 

ରତନନିଧାନ ଦେଖି ନିକଟରେ, ଗଲି କିଛି ବାଟ ଅନ୍ଧ କପଟରେ,

ଫେରି ଖୋଜି ତାରେ, ନ ପାଇଲି ବାରେ, ବିଧିକଲା ବୁଦ୍ଧି ମୋଷ । ୩ ।

 

ହରିବାକୁ ମୋର ଘୋର ଭବଶୋକ, ଦେଇଥିଲେ ଏକବୀଣା ଦେବଲୋକ

ଫିଙ୍ଗିଦେଲି ଦୂରେ, ସ୍ମୃତିପଥେ ସ୍ଫୁରେ, ଆଜି ତା ମଧୁର ଘୋଷ । ୪ ।

 

ଜଗତଜନକ ଆପଣା କରମୁଁ, ଭୟଙ୍କର ତମେ ହେଲି ପତିତ ମୁଁ,

ଅକୃତଜ୍ଞ ବୋଲି, ନ ନେବ କି ତୋଳି, ତନୟରେ ତେଜି ରୋଷ ହେ । ୫ ।

———————

 

ରାଗ ଭୈରବୀ-ତାଳ ଝୁଲା

 

ଏ କଥା ନ ଆସେ ମନେ ।

ନାଚିବି ଆନନ୍ଦେ ଦିନେ ତବ ଆଗମନେ । ପଦ ।

 

ଅତିକ୍ରମି ବାଧାଚୟେ, ଶ୍ରୀଚରଣେ ମହାରୟେ,

ବହିବ ପ୍ରେମ-ପ୍ରବାହ ନବ ଉଦ୍ୟମନେ । ୧ ।

 

ପରାପର ଭେଦ-ଜ୍ଞାନ, ଭଜିବ ଅନ୍ତରଧାନ,

ପ୍ରଭୁ ହେବି ମୁଁ ଅନ୍ତର ଅରାତିଦମନେ । ୨ ।

 

ଶରଧା-କୁସୁମବାସେ, ପୁଲକିତ ହୃଦ-ବାସେ,

ରଖିବି ତୁମ୍ଭଙ୍କୁ ଦୃଢ଼ ଭକତି ଯମନେ । ୩ ।

 

ତୁମ୍ଭରି ପୂଜାରେ ମାତି, କଟାଇବି ଦିବାରାତି,

ସ୍ୱପନେ ବି ନ ଡରିବି କରାଳ ଶମନେ । ୪ ।

———————

 

ରାଗ ‘ଧରୁ ଧରୁ ଉଡ଼ିଗଲା ପକ୍ଷୀ’ ବୃତ୍ତେ-ତାଳ ଯତ୍‌ ଛପକା

 

ଭକ୍ତିବୁଟୀରେ, ଡାକ ହରିଙ୍କୁ ହୃଦୟ-କୁଟୀରେ । ପଦ ।

ହେଲେ ଦୟାମୟ ଶୁଭେ ଆଗତ, ଗଦ ଗଦ ସ୍ୱରେ ବୋଲ ସ୍ୱାଗତ,

ଶ୍ରୀପାଦକମାନେ, ଧୋଇ ମୁଦଜଳେ,

(ତାହା) ପାନ କର କରପୁଟୀରେ । ୧ ।

 

କୋଟି କୋଟି ନମସ୍କାର ଅର୍ଘ୍ୟଦେଇ, ବସା ପ୍ରୀତିରତ୍ନସିଂହାସନେ ନେଇ

ଯା ଖୋଜନ୍ତି ହର, ପ୍ରଜାପତି ଧର,

(ସଦା) ସେହି ପାଦରଜ ଚୂଟିରେ । ୨ ।

 

 

କଦାପି ନ ଛାଡ଼ି ତିଳେ ତାଙ୍କ ସଙ୍ଗ, ଶରଧା-କୁସୁମେ ମଣ୍ଡ ନିତି ଅଙ୍ଗ,

ଉପଯୁକ୍ତ ଭେଟି, ନାହିଁ ବୋଲି ସେଟି,

(କେବେ) ରୁଷିବେ ନାହିଁ ତୋ ତୁଟିରେ । ୩ ।

 

ପ୍ରେମବନ୍ଦାପନା କରି ମୁକ୍ତକଣ୍ଠେ, ଗାନକର ତାଙ୍କ କୀରତି ଉତ୍କଣ୍ଠେ,

ତାଙ୍କ ନାମ ମୁଖେ, ଜପି ଲଭ ସୁଖେ,

(ଘୋର) ଭବ କାରାବାସୁଁ ଛୁଟିରେ । ୪ ।

———————

 

ରାଗ ଜଙ୍ଗଲା-ତାଳ ଠୁରି

 

କେତେଦିନ ପରାତ୍ପର ଏ ବିଚରା ଧରାକାରାଗାରେ ରହିବ ହେ ।

ଚରାଚରଗୁରୁ କେତେ କାଳ ଗୁରୁ ଶୋକାନଳେ ଦେହ ଦହିବ । ପଦ ।

 

ସମୟ ପହରା ଦେଇଛି ବାଟେ, ବେଳେବେଳେ ରାଗେ ଆଖି ତରାଟେ ।

ଚରଣରେ ବେଢ଼ି, ଅଛି ଦାରା ବେଢ଼ି, କେତେ ଏ ବେଦନା ସହିବ । ୧ ।

 

ହାଡ଼ଭାଙ୍ଗେ ରୋଗ ରୋଳ ଭୂଷରେ, କାନ୍ଦଇ ଏକାନ୍ତେ ବସି ନିଶାରେ,

ବାର ଓଷାବାର, ଲାଞ୍ଚେ କେତେ ବାର, ଯମ-ଯମାଦାରେ ମୋହିବ । ୨ ।

 

ଜଠର ଡାକ୍ତର ନାଡ଼ୀକି ଦେଖି, ଦକ୍ଷ ବୋଲି ଦିଏ ଡାଏରି ଲେଖି,

ହୋଇ ଅଜ୍ଞାବାଧ୍ୟ, ବିଷୟ ଅମେଧ୍ୟ, କେତେକାଳ ମୁଣ୍ଡେ ବହିବ । ୩ ।

 

ଅଦୃଷ୍ଟ ପୂଜାରି ଦିଏ ଯା ଆଣି ନିୟମିତ ଭାତ ତିଅଣ ପାଣି ।

ନ ପୂରିଲେ ପେଟ, ହୁଏ ଛଟପଟ, ଏ କଥା କାହାକୁ କହିବ । ୪ ।

 

ଶୁଣି ତୁମ୍ଭେ ଜଜ କରୁଣାସିନ୍ଧୁ, ଅପିଲି କରିଛି ବିତର ବିନ୍ଦୁ,

ହୋଇ ଏ ଖଲାସ, ଲଭୁ ସେହି ବାସ, ଯହିଁରେ ଏ ଦଶା ନୋହିବ । ୫ ।

———————

 

ରାଗ କାଲଂଡ଼ା-ତାଳ କାଶ୍ମିରିଖେମଟା

ଆସ ଆସ ଆସ ପାଶେ ହେ ରାସରସିକ ବାରେ ।

ଦାସ ନାଶ ଯାଏ ତବ ଘୋର ଭବ-ପାରାବାରେ । ପଦ ।

 

ଆଖିକାନେ ପଶେ ପାଣି, ଟେକିଛି କେବଳ ପାଣି,

ଦୀନବନ୍ଧୁ, କେଉଁ ବନ୍ଧୁ, ତୋ ବିନା ତାହାକୁ ତାରେ । ୧ ।

 

ତୁମ୍ଭପରି ଥାଉଁ ସ୍ୱାମୀ, ହୋଇଲେ ସେ ଅଧୋଗାମୀ,

ଏ ସଂସାରେ, କି ଆଶାରେ, ଡାକିବି ଆଉ କାହାରେ । ୨ ।

 

ତୋର ଯେ ସେବକ ଲୋକ, ହରୁ ତାର ସବୁ ଶୋକ,

ତେଜି ଆନେ, ତୋତେ ମାନେ, ହରି ସେ ସେହି ଆଶାରେ । ୩ ।

 

କାଳ ନାହିଁ କହିବାକୁ, କାଳ ଗାଢ଼େ ଧରେ ତାକୁ,

ଚକ୍ରପାଣି, ହାତେ ଟାଣି, ନେଇ ଯା ଜଗତ ପାରେ । ୪ ।

-------------

 

ରାଗ ତୋଡ଼ିପରଜ-ତାଳ କବାଲୀ

 

ଏହା ନୁହେଁ କି ହେ ପକ୍ଷପାତ ବିଶ୍ୱମ୍ଭର ।

କହିବାକୁ ବଳ, ନ ପାଏ କେବଳ, ଅଯଶ ଭୟେ ତୁମ୍ଭର । ପଦ ।

 

କରୁଛ କାହାକୁ ଚିରପରମାୟୁ ଆଜୀବନ ନିରାମୟ ।

କିଶୋର ବୟସେ, ନାନା ରୋଗବଶେ, କାହାର ଅକାଳେ କ୍ଷୟ । ୧ ।

 

କିଏ ଥୁଥୁକରେ ଅମୃତ କେ ବେଳେ ପେଜକୁ ନ ପାଏ ଲୁଣ ।

କିଏ ହୋଇଅଛି ଲକ୍ଷପତି କିଏ ପଥର ଭିକାରି ପୁଣ । ୨ ।

 

ଦେଇଛ କାହାକୁ ଉଚ୍ଚ ଅଟ୍ଟାଳିକା କାହାକୁ ପତ୍ରକୁଡ଼ିଆ ।

କରିଛ ଜଣକୁ ପଟ୍ଟାମ୍ବର ଅନ୍ୟ ଜଣକୁ କନାଧଡ଼ିଆ । ୩ ।

 

ଶିରୀଷ କୋମଳ ତୂଳିରେ କାହାର ଦେହ ହୁଅଇ ରଗଡ଼ି ।

କତରା ଅଭାବେ କଟାଏ କେ ରାତି ନିତି ଭୂମିତଳେ ପଡ଼ି । ୪ ।

 

 

ଏକ ହୁଏ ବହୁସନ୍ତାନେ ବିରକ୍ତ ଏକ ହୁଏ ନିଃସନ୍ତାନ ।

ହୁଏ କେ ବିବିଧ ବିଦ୍ୟା-ବିଶାରଦ କେହି ହୁଅଇ ଅଜ୍ଞାନ । ୫ ।

 

ବୋଲିବ ଉତ୍ତରେ କର୍ମ ଅନୁସାରେ ପ୍ରାଣୀ ଲଭେ ସୁଖ ଦୁଃଖ ।

ପାପପୂଣ୍ୟ ନାମେ ଦୁଇଗୋଟି ପଥ କଲ କିପାଁ ପଦ୍ମମୁଖ । ୬ ।

———————

 

ରାଗ ତୋଡ଼ିପରଜ

 

ମନ ପାଗଳାରେ ଆଉ ତୁ କର ନା ହେଳା

ଭବସିନ୍ଧୁ ପାର ହେବାକୁ ତିଆର କର ଭେଳା ଗଲା ବେଳା । ପଦ ।

 

ହୋଇ ସାବଧାନ ମୁକତିନିଦାନ ପାତି ସାଧୁସଙ୍ଗ ପଟା ।

ଶ୍ରଦ୍ଧା-ଚୂତିଆରେ ମାର ଚାରିଧାରେ ଶ୍ରୀହରିଭଜନ-କଣ୍ଟା । ୧ ।

 

କୃଷ୍ଣ ଅବଦାନ ଗୁଣଗଣ ଗାନ ମାସ୍ତୁଲ ଲଗା ତହିଁରେ ।

ପୂରାଇ କାମନା ଗୁରୁ ଉପାସନା ପାଲ ଉଡ଼ିବ ଯହିଁରେ । ୨ ।

 

ଯମ ନିୟମାଦି ଶେଯକୁ ସମ୍ପାଦି ରଞ୍ଜି ସରଳତା ରଙ୍ଗେ ।

ଦୂରିତମୋଚନା ହରି-ଅରଚନା ଅସ୍ତା ଦିଅ ସଙ୍ଗେ ସଙ୍ଗେ । ୩ ।

 

 

ସର୍ବଭୂତେ ବିଧି ଜଗଦୀଶ ବୁଦ୍ଧି କରେଇ ଖଣ୍ଡିଏ କରା ।

ବୈରାଗ୍ୟ-ସୂତ୍ରରେ ବାନ୍ଧ ବ୍ରହ୍ମତତ୍ତ୍ୱ-ବିଚାରଣା-ମଙ୍ଗଧରା । ୪ ।

———————

 

ରାଗ ତୋଡ଼ିପରଜ

 

ଘେନ ମୋହର ହେ, ମାନସିକ ପୂଜା ଆଜ ।

ଯୋଗ୍ୟ ଉପଚାର, ଅଭାବେ ନାଚାର, କି କରିବି ବିଶ୍ୱରାଜ । ପଦ ।

 

ମାନସିକ ରତ୍ନ ରଚିତ ଆସନେ ବିଜେକର ଭଗବାନ ।

ମାନସିକ ହେମ କୁମ୍ଭରେ ସଞ୍ଚିତ ହିମଜଳେ କର ସ୍ନାନ । ୧ ।

 

ମାନସିକ ଦିବ୍ୟ ନୂତନ ବସନ ଯୁଗଳ କରି ଗ୍ରହଣ ।

ମଣ୍ଡିହୁଅ ପ୍ରଭୁ ମାନସ କଳ୍ପିତ ନାନା ମଣି ଆଭରଣ । ୨ ।

 

ଅଙ୍ଗେ ବିଲେପନ କର ମାନସିକ କର୍ପୂର ମିଶା ଚନ୍ଦନ ।

ମାନସିକ ପୁଷ୍ପ ଧୂପ ଦୀପ ପୁଣ ଷଡ଼ରସର ଭୋଜନ । ୩ ।

 

ମାନସିକ ଏଳା ଲବଙ୍ଗ ସଂଯୁତ ତାମ୍ବୁଳ କରି ଚର୍ବଣ ।

ମାନସିକ ଛତ୍ର ଚାରେ ବ୍ୟଜନ ଦେଖ ମାନସ ଦର୍ପଣ । ୪ ।

 

 

ମାନସିକ ବାଦ୍ୟ ମାନସିକ ଗୀତ ପୁଣି ମାନସିକ ନାଟ ।

ମାନସିକ ଶତ ସାଷ୍ଟାଙ୍ଗ ପ୍ରଣାମ ମାନସିକ ସ୍ତୁତିପାଠ । ୫ ।

 

ମାନସ କଳ୍ପିତ ଏ ସକଳ ଦ୍ରବ୍ୟ ଚରଣେ କଲି ଅର୍ପଣ ।

ସାଦରେ ଗୃହୀତ ହେଲେ କୃତକୃତ୍ୟ ହୋଇବି ମୁଁ ନାରାୟଣ । ୬ ।

———————

 

ରାଗ ଲଳିତ

 

ତ୍ରିଭୁବନରାଜ କି ଗୁଣେ ମୁଁ ଆଜ ସମାଜେ ବଡ଼ ହୋଇଛି ।

ଜାଣିଲି ଭୟରେ, ବଡ଼ ବୋଲି ନରେ, ବୋଲୁଛନ୍ତି ମିଛାମିଛି । ପଦ ।

 

ମାଗି ଜାଣେ ହରି ଦେଇ ଜାଣେ ନାହିଁ କାହାକୁ କଦାପି କିଛି ।

ଆପଣାର ଦୋଷ ଗୋଛା ଗୋଛା ଥାଉଁ ପରକୁ କରଇ ଛି ଛି । ୧ ।

 

ଦେଲାବେଳେ ଖୋଜେଁ ନାକରା ଜିନିଷ ନେଲାବେଳେ ନିଏଁ ବାଛି

ପରଘରେ ରହି କଟାଏଁ ସମୟ ଚାଳେ ନ ବସାଏଁ ମାଛି । ୨ ।

 

ନିଜେ ଧନୀ ଧନ ଦେଖିଲେ କାହାରି ଦିଏ ତା ଛଳରେ ପୋଛି ।

ବଞ୍ଚିବାକୁ କରେ ସହସ୍ର ଯତନ ଅନ୍ୟର କାଟଇଁ ଗୋଛି । ୩ ।

 

 

କହେ ନିଜଗୁଣ କାହାଣୀ ନ ଶୁଣେଁ ବନ୍ଧୁ ମିତ୍ର ଦୁଃଖପୁଛି ।

ଶେଷରେ କି ଦଶା ଲଭିବି ମୁଁ ଆଜି ଏହି ଭାବନା କରୁଛି । ୪ ।

 

ରାଗ କାମୋଦୀ-ଏକତାଳି

 

ଜୟ ଦୁର୍ଗେ ଦୁର୍ଗତିନାଶିନି ଗୋ ।

ବିଶ୍ୱଜନନି ବିନ୍ଧ୍ୟବାସିନି ଗୋ । ପଦ ।

 

ମହିଷବିମର୍ଦ୍ଦିନି, ମୃଗରାଜବାହିନି,

ପରିବୃତ ଯୋଗିନି ପାଶିନି ଗୋ । ୧ ।

 

କୃପାସାର ବର୍ଷିଣି, ଦୁଷ୍ଟପ୍ରାଣିଧର୍ଷିଣି,

ଦୁଃଖହାରିଣି ଚାରୁହାସିନି ଗୋ । ୨ ।

 

ହିମଗିରି ନନ୍ଦିନି, ଜଗତ ଆନନ୍ଦିନି,

ଭକ୍ତତାରିଣି ଭୀମ ରାସିନି ଗୋ । ୩ ।

 

ନୀଳପଦ୍ମ ସ୍ପୃହିଣି, ନୀଳକଣ୍ଠଗୃହିଣି,

ଶୁଭକାରିଣି ରଣ ଲାସିନି ଗୋ । ୪ ।

———————

 

 

ରାଗ ‘ଫେରି ଯାଅ ଯାଅ ଶ୍ୟାମ ନ କର ହଟା’ ବୃତ୍ତେ ତାଳ-ଖେମଟା

 

ହେ ଭବଘାଟିଆ କେବେ ପାରିକରିବ ।

ଅନେକ ବେଳରୁ ଡାକୁଅଛି ଗରିବ । ପଦ ।

 

ଦିନ ପାଇଲାଣି ଶେଷ, ଏକାଯିବ ଦୂରଦେଶ ।

ନିଶା କରିଲେ ପ୍ରବେଶ କଥା ସରିବ । ୧ ।

 

ଜନ୍ତୁଜାତ ଧୃତିହରା, ପଡ଼ିବ କାଳ ପହରା,

ଦେଖିଲେ ତାକୁ ବିଚରା ବଡ଼ ଡ଼ରିବ । ୨ ।

 

ନିୟମ କରିଚ କଡ଼ା, ଦୃଢ଼ଭକ୍ତି ଧନ ଭଡ଼ା,

ନାହିଁ ସେ ଏହାର କଡ଼ା ଦେଇ ତରିବ । ୩ ।

 

ଭବ-ନଦୀ ଭୟଙ୍କର, ଖଣି ନାନା ଆତଙ୍କର,

ତବ ଦୟାରେ ରଙ୍କର ଆଶା ପୂରିବ । ୪ ।

———————

 

ରାଗ କାମୋଦୀ-ଏକତାଳି

 

(ଏବେ)      ଆସିଲାଣି ଶମନ ଡାକରାରେ ।

(ମନ)      ମାରୁଛୁ କେତେ ସୁଖ-ଟାକରା ରେ ।

ଭବେ ଆସିବା କାଳେ, କହିଥିଲୁ ଯା କାଳେ,

(ଆଜି)      ଭୁଲିଲୁଣିକି ମନ ସେ କରାରେ । ପଦ ।

 

ଖିଳସଂସାରସାର, ପରର ଉପକାର,

ବରଜି କରିଅଛୁ ନାକରା ରେ ।

ସ୍ୱଦେଶ ହିତପାଇଁ, କଡ଼ାଏ ଦେଲୁ ନାହିଁ

ଖାଇଲୁ ଏକା କ୍ଷୀରୀ କାକରା ରେ । ୧ ।

 

ସଦୁପଦେଶ ଦାନେ, ଆସିଲେ ସାଧୁମାନେ,

ତାହାଙ୍କୁ ଦେଖି କଲୁ ଟାପରାରେ ।

ଗରିବ ଲୋକ ଗଳା, କାଟିବାକୁ ମାମଲା,

କରି ଲାଗିଲୁ ହୋଇ ଛୋପରା ରେ । ୨ ।

 

ବନ୍ଧୁ ମିତ୍ରଙ୍କ କଥା, ନ ମାନିଲୁ ସର୍ବଥା,

କହି କହି ସେ ହେଲେ ବଧରା ରେ ।

ରେ ମୂଢ଼ ମୋହବଶେ, ଭାବିଥିଲୁ ମାନସେ,

ରହିବି ଚିରଦିନ ମୁଁ ଧରାରେ । ୩ ।

 

ସଞ୍ଚିଛୁ ଯେତେ ଧନ, ତାର କି ପ୍ରୟୋଜନ,

ଶେଷେ ପାଇବୁ ନିଆଁ ଖପରା ରେ ।

 

ନରକେ ଥିଲେ ଭୟ, ଈଶ୍ୱରେ କର ଲୟ,

ପାପତାପନାଶକ ସେ ପରା ରେ । ୪ ।

———————

 

ରାଗ ‘ସଙ୍ଗିନି ରେ ମନେ ପଡ଼ୁଛି’ ବୃତ୍ତେ-ତାଳ ଠୁଂରି

କାହିଁକି, ପରାଣ, ଆଜି, ହୁଏ ବିକଳ ।

ମୋହରତ, ଅବିକଳ, ଅଛି ସକଳ । ପଦ ।

 

ଆରୋହି ବିବେକ-ରଥେ, ଭ୍ରମି ଏ ସଂସାର ପଥେ,

ସମ୍ପାଦିଛି ମନୋରଥେ, ସଦା ସଫଳ । ୧ ।

 

ବୁଝିଲି ଗଲାଣି ବେଳା, ରଚି ନାହିଁ କରି ହେଳା,

ଭବସିନ୍ଧୁ ପାରି ଭେଳା ପିନ୍ଧି ବକଳ । ୨ ।

---------------

 

ରାଗ ମରୁଆ-ତାଳ ଆଠତାଳି ବା ଯତ୍‌

 

ଭକତସଖା ଦେଖା ଦିଅ ଅଧମେ ଥରେ ।

ହୃଦୟ ଥରଥର ଶମନ ଦେଖି ଥରେ । ପଦ ।

 

 

ପାପ ଭାରକୁ ସଜ, କରିଅଛି ନିଲଜ ।

ପଥିକ ହେବ ଆଜ, ଘୋର ମହାପଥରେ । ୧ ।

 

ଭାରତ ରଣସ୍ଥଳେ, ଡାକିବାରୁ ବିକଳେ,

ଶୁଣିଚି ରଖିଥିଲେ, କ୍ଷୁଦ୍ର ପତ୍ରରଥରେ । ୨ ।

 

କରେ ଦେହ ଦହନ, କଳମଷ ଦହନ,

ତାର ଉପଶମନ, କର କୃପାପାଥରେ । ୩ ।

 

କେବଳ ଦରଶନ, ଦିଅ ବିଶ୍ୱ ପାବନ,

ନାହିଁ ମୋ ପ୍ରୟୋଜନ, ଅପର ଅରଥରେ । ୪ ।

———————

 

ରାଗ ଇମନ-ତାଳ ଝମ୍ପା

 

ସତେ କି ବସାଇ ସୁବିଶଦ ହୃଦ-ସଦନେ ।

ଭକ୍ତିକୁସୁମେ ପୂଜିବି ସଦା ମଧୁସୂଦନେ । ପଦ ।

 

ତେଜି ଅଖିଳ ବିଷାଦ, ମୁଦ ଉଦକରେ ପାଦ,

ପଖାଳିବି ତାପଭିଦ ନାମ ଧରି ବଦନେ । ୧ ।

 

 

ଅରପି ପୁଲକାସନ, ଗଦ୍‌ଗଦ ଶୁଭ ପ୍ରଶନ,

ବୋଳିବି ଶ୍ରୀଅଙ୍ଗ ଘନ, ଆଶାଚନ୍ଦ୍ରଚନ୍ଦନେ । ୨ ।

 

ନିରତ ଅତି ଯତନେ, ମଣ୍ଡି ସୁମତିରତନେ,

ତୋଷିବି ତାଙ୍କର ମନେ, ସୁଶରଧା-ଅଦନେ । ୩ ।

 

ତାଙ୍କରି ପାବନ ନାମ, ଜପ କରି ଅବିରାମ,

ମାଗିବି ଅଭୟ ଭିକ୍ଷା ତୃଣ ଦେଇ ରଦନେ । ୪ ।

 

କରି ନିତି ନୀରାଜନ, ହେବି ପ୍ରସାଦଭାଜନ,

ସଡ଼ିବି ନାହିଁ ଦୁସ୍ତରତର ଭବକଦନେ । ୫ ।

———————

 

ରାଗ ସୌରାଷ୍ଟ୍ର-ତାଳ ଝୁଲା

 

ମୋତେ ଜଗଦୀଶ, ଦେଇ ନାହିଁ କିସ,

କି ମାଗିବି ଆଉ ବିଶ୍ୱପାବନ ।

ଅତି ରୂପବତୀ, ଦେଇଛ ଯୁବତୀ,

ଦେଇଅଛ ପୁଣ ଦିବ୍ୟ ଭବନ । ପଦ ।

 

ସୁଧୀର ପ୍ରକୃତି, ମଦନ ଆକୃତି,

ଦେଇଛ ନନ୍ଦିନୀ ପୁଣ ନନ୍ଦନ ।

ଅମୃତ ଅଶନ, ଉତ୍ତମ ବସନ,

ଦେଇଛ ସୁହୃଦ ହୃଦନନ୍ଦନ । ୧ ।

 

ବିମଳ କୀରତି, ବିବୁଧ ପୀରତି,

ଆହୁରି ଦେଇଛ ବିଦ୍ୟାରତନ ।

ସୁକୃତ ନିଦାନ, କ୍ଷାନ୍ତି ଶାନ୍ତି ଦାନ,

ଦେଇଛ ଅନାଥରକ୍ଷା ଯତନ । ୨ ।

 

ଜନମନଲୋଭା, ଦେଇଅଛ ଶୋଭା,

ପରବିପଦରେ ଅଶ୍ରୁମୋଚନ ।

ନିରଳସଭାବ, ପ୍ରଭୂତ ପ୍ରଭାବ,

ଦେଇଛ ସୁବନ୍ଧୁ ସତ୍ୟବଚନ । ୩ ।

 

ଦେଇଅଛ ଦାସ-ଦାସୀ ପୀତବାସ,

ବାହନାଦି କିଛି ନାହିଁ ଭାବନ ।

ଅନ୍ତେ ତବ ନାମ, ଚିନ୍ତି ଶାନ୍ତିଧାମ,

ଲଭୁ ହେ କେବଳ ମୋର ଜୀବନ । ୪ ।

———————

 

 

 

 

ରାଗ ଖମ୍ବାଜ-ଗଜଲି-ଯତ୍‌

 

ଏ ଜୀବନେ, ସଖା ଦେଖା, ହେବ ନାହିଁ, ତବ ଆଉ ।

ମହୀରେ ରହିବାଯାଏ, ସହିବି ବିରହଦାଉ । ପଦ ।

 

ତୋ ମଧୁ ମଧୁର କଥା, ଭାବିଲେ ଜନମେ ବ୍ୟଥା ।

ଘରେ ଧରା ଘୂରେ ମଥା, ଆହା କି କହିବି ଆଉ । ୧ ।

 

ଯେ ଦେଶେ ଯାଇଛୁ ଧନ, ସେ ନିଶ୍ଚେଁ ପୁଣ୍ୟ ପତ୍ତନ ।

ଚଞ୍ଚଳ ମୋର ଜୀବନ-ପକ୍ଷୀ ତହିଁ ଉଡ଼ିଯାଉ । ୨ ।

--------------

 

ରାଗ ସୁରଠ-ତାଳ ଏକତାଳ

 

ଫେଡ଼ିବ କିଏ ମାଧବ ମୋର ଅପମାନ ।

ଦିଏ ଯା ନିୟତ ବହି ପ୍ରଭୁ ତା ଗୁମାନ । ପଦ ।

 

ଚଉରାଶୀଲକ୍ଷ ବେଶେ ବୁଲାଇଲା ଦେଶେ ଦେଶେ ।

ଭୁଲିଲି ଯେ ସୁଖ ଦୁଃଖ କେ କରୁ ତା ମାନ । ୧ ।

 

ନାହିଁ ଦିନେ ଶାନ୍ତି ଲେଶ, ଶିରେ ଧରି ତା ଆଦେଶ,

ବନ୍ଧୁର ସଂସାର ପଥେ ହୁଏଁ ଧାବମାନ । ୨ ।

 

ପକାଏ ସେ ପୀଡ଼ାକରେ, କେବେ ଘୋର ନରକରେ,

ସ୍ୱଚ୍ଛନ୍ଦେ ବିତରେ କେବେ ସ୍ୱର୍ଗୀୟ ସମ୍ମାନ । ୩ ।

 

ଅବିରତ ପର୍ଯ୍ୟଟନେ, ଉତ୍ଥାନେ ପୁଣ ପତନେ,

କନ୍ଦୁକ କେବଳ ହେବ ମୋର ଉପମାନ । ୪ ।

 

ତୁମ୍ଭ ବିନା ବିଶ୍ୱପତି, ନାହିଁ ଆଉ ଅନ୍ୟ ଗତି,

ଦିଅ ଅଚିରେ ଆଶ୍ରୟ ଭକତ ସମାନ । ୫ ।

———————

 

ରାଗ ‘ଜଗବନ୍ଧୁ ମୋ ଗୋସାଇଁ’ ବୃତ୍ତେ-

 

ତାଳ ଆଠତାଳି ବା ଯତ୍‌

ଚିନ୍ତା କର ଜଗଦୀଶେ ।

ତାଙ୍କରି ମୋହନ ଛବି ଦିଶେ ଦିଶେ ଦିଶେ । ପଦ ।

 

ବସନ୍ତକାଳେ କୋକିଳକୁଳ କଳରାଗେ ।

ବୃଷା ଆଶା ଯୋଷାଭୂଷା ସମ ଊଷା ରାଗେ । ୧ ।

 

ପ୍ରାଭାତିକ ମନ୍ଦ ଗନ୍ଧ ଶୀତଳ ପବନେ ।

ନବ ବିକଚ ମନ୍ଦାର ସୁନ୍ଦର ତପନେ । ୨ ।

 

ସତଡ଼ିତ ଧାରାଧରେ କୁସୁମକାନନେ ।

ଦରପଣ ରମଣୀୟ ରମଣୀ ଆନନେ । ୩ ।

 

ବିମଳତର ଶାରଦ ରାଜା-ସୁଧାକରେ ।

ବିକସିତ ସରସିଜେ କୁମୁଦ ଆକରେ । ୪ ।

 

ଜଳଧି ତୁଙ୍ଗ ତରଙ୍ଗେ ହିମଗିରିବରେ ।

ରାଜହଂସ ରାଜି ବିରାଜିତ ସରୋବରେ । ୫ ।

 

ମଧୁବ୍ରତ ମୁଖରିତ ମାଧବୀ ନିକୁଞ୍ଜେ ।

ଜ୍ୟୋତିଧାରାବର୍ଷୀ ହୀରା ଚାରୁ ତାରାପୁଞ୍ଜେ । ୬ ।

———————

 

ରାଗ ଖମ୍ବାଜ-କବାଲୀ

 

ରେ ମନ-କୀର, ପାଇବୁ ଭୋଗ ନାକର ।

କଳ୍ପନଟ ଜଟାଜୂଟ ଅଟବୀରେ ବସା କର । ପଦ ।

 

ବ୍ୟାଧି-ବ୍ୟାଧ ବାଧା ଲେଶ, ନାହିଁ ଭବଦେବ କ୍ଲେଶ,

ଭାଜନ ନୁହେ ସେ ଦେଶ, ବାଳାବାଗୁରା ଦକର । ୧ ।

 

 

ପବିତ୍ର ସୁରସରିତ, ବନେ ସେ ବନ ପ୍ଲାବିତ,

କରିଅଛି ଆଲୋକିତ, ତାକୁ ସଦା ସୁଧାକର । ୨ ।

 

ଯା ଲୋଡ଼ନ୍ତି ନିରନ୍ତରେ, ସୁରାସୁର ନାଗ ନରେ,

ଲଭିବୁ ତୁ ସେ ସ୍ଥାନରେ, ସେହି ସୁଫଳ ନିକର । ୩ ।

 

ଶୀତ ସୁଗନ୍ଧି ସମୀର, ବହେ ତହିଁ ଧୀର ଧୀର,

ଜାଣ ସେ କାନନ ଚିର, ଶାନ୍ତି ସୁଖର ଆକର । ୪ ।

———————

 

ରାଗ ଖମ୍ବାଜ-କବାଲୀ

 

ରେ କଳ୍ପଖଗ, ଶୁଣୁଛି ତୋ ନାଦ ମାତ୍ର ।

ଗାଉଛୁ ବିବିଧ ରାଗେ ସଙ୍ଗୀତ ତୁ ଦିବାରାତ୍ର । ପଦ ।

 

ଚୈତ୍ରରଥେ କି ନନ୍ଦନେ, ଅଛୁ ତୁ କେଉଁ ବିଜନେ,

ଦିନେ ତୋର ଦରଶନେ, ନ ହେଲା ମୋ ନେତ୍ର ପାତ୍ର । ୧ ।

 

ତୋହରି ବିଚିତ୍ରଗାନ-ସୁଧା କାନେ କରି ପାନ,

ଦେଉଅଛି ଅନୁମାନ, ବିଶ୍ୱମୋହନ ତୋ ଗାତ୍ର । ୨ ।

 

ନ ପାଇ ତୋ ଗାନ ଝଡ଼, ବୋଲାଏ ଜଗତ ଜଡ଼,

ନ ମାନୁ ତୁ ସାନ ବଡ଼, ଦରିଦ୍ର ବା ମହାପାତ୍ର । ୩ ।

 

ତୋତେ ସହସ୍ର ଯତନେ, ରଖି ପଞ୍ଜରୀ ବନ୍ଧନେ,

ଲଭିବ କେ ତ୍ରିଭୁବନେ, ସୁଖ ଶାନ୍ତି-ପୂର୍ଣ୍ଣପାତ୍ର । ୪ ।

 

କରିଛି ତୋର ସଙ୍ଗତି, ନାହିଁ ଏ ଭଳି ସୁମତି,

ବୁଝିବାପାଇଁ ତୋ ଗତି, ହୁଅନ୍ତି ମୁଁ ଯାର ଛାତ୍ର । ୫ ।

 

ରଖି ଚିରଦିନ ପ୍ରୀତି, ଏ ରୀତିରେ ଗାଅ ଗୀତି,

ଅଗମ୍ୟ ତୋହର ସ୍ଥିତି, ବୋଲଇ ଅନାଦି ଶାସ୍ତ୍ର । ୬ ।

———————

 

ରାଗ ଖମ୍ବାଜ-ଗଜଲି-ଯତ୍‌

 

ପୁଣ୍ୟ କରିବାରେ କେବେ ନ ପାଇଲି ଅବସର ।

କହ କି କରିବି ହରି ହେଲା ତ ଶେଷ ବାସର । ପଦ ।

 

ମୁଁ ମୂଢ଼ ମାତା ଉଦରେ, ପ୍ରତିଜ୍ଞା ଯା କଲି ଦରେ,

ନ ପାଳି ତାହା ସାଦରେ, ପାତ୍ର ହୋଇଲି ହାସର । ୧ ।

 

 

ଅକ୍ଷମ ଇନ୍ଦ୍ରିୟ ଦମେ, କେବଳ ଖେଳ-ବିଭ୍ରମେ,

ବାଲ୍ୟକାଳ ନେଲି କ୍ରମେ, ଧୂଳିରେ ହୋଇ ଧୂଷର । ୨ ।

 

ଯୌବନେ ଭୋଗବିଳାସେ, ବନ୍ଦୀ ହେଲି ନାରୀପାଶେ,

ମନମଥ ଅବକାଶେ ବିନ୍ଧିବାରୁ ସୁମଗର । ୩ ।

 

କରି କଳତ୍ର ତନୟ, ପୋଷଣେ ଧନ ସଞ୍ଚୟ,

ନେଲି ମଧ୍ୟମ ସମୟ, ବଶେ ରହି ସାହସର । ୪ ।

 

ରୋଗେ ବିଷୟ କଥାରେ, ବାର୍ଦ୍ଧକ୍ୟ ଗଲା ବୃଥାରେ,

ଏବେ ବଦିଲି ମଥାରେ, ଆଜ୍ଞାପତ୍ର କୀନାଶର । ୫ ।

 

ତୁମ୍ଭ ବିନା ଦୟାମୟ, କାହିଁ ଅପର ଆଶ୍ରୟ,

ହର ନରକର ଭୟ, ନ ଘେନି ଦୋଷ ଦାସର । ୬ ।

———————

 

ରାଗ ‘ରାଧେକୃଷ୍ଣ ରାଧେକୃଷ୍ଣ ରାଧେକୃଷ୍ଣ ରଟ୍ଟ’ ବୃତ୍ତେ-ତାଳ ଆଠତାଳ

 

ରାଧେକୃଷ୍ଣ ରାଧେକୃଷ୍ଣ ରାଧେକୃଷ୍ଣ ଗା ରେ ।

ଆପେ ଆପେ, ପାପତାପେ, ହେବେ ଅଲଗା ରେ । ପଦ ।

 

 

ଭୀତ ଯାକୁ କରେ ଭୀତି, ନିତି ମତି ରଖି ପ୍ରୀତି,

ସେହି ନାମେ, ପୂର୍ଣ୍ଣକାମେ, ଶାନ୍ତି ଧାମେ ଯା ରେ । ୧ ।

 

ଯାର ନାହିଁ ବଡ଼ ସାନ, ପଶୁ ପକ୍ଷୀ ଜାତି ଜ୍ଞାନ,

ଯେଉଁ ଭାବେ, ଯେହୁ ଭାବେ, ଦୁଃଖୁଁ ତାରେ ତାରେ । ୨ ।

 

ଭୟ ହେଲା ଶତ୍ରୁତାରେ, ଯେ ନାମ ଉଚ୍ଚାରି ବାରେ,

ପାପିପନ୍ତି, ଯାଉଚନ୍ତି, ସୁଖେ ଭବପାରେ । ୩ ।

 

ନାମର ଅସୀମ ଶକ୍ତି, ଦିଏ ମୁକ୍ତି ଦିଏ ଭକ୍ତି,

ଅକପଟେ, କଣ୍ଠତଟେ, ମଣ୍ଡ ନାମ-ହାରେ । ୪ ।

———————

 

ରାଗ ମୂରଠ-ତାଳ ଏକତାଳି

 

ଛାଡ଼ି ଦେ ଛାଡ଼ି ଦେ ଛାର ଛାତିଫୁଲା ଢଙ୍ଗ ରେ ।

କାଳ କରିଦେବ ତାର କ୍ଷଣକେ ବିଭଙ୍ଗ ରେ । ପଦ ।

 

ପାଇ ଯେ ଧନ ପସରା, ଥରାଇ ଦେଉଛୁ ଧରା,

ଜାଣୁ ନାହିଁ କି ଏ ପରା, ମାୟାଦେବୀ ରଙ୍ଗ ରେ । ୧ ।

 

 

ବସି ଯେଉଁ ଉଚ୍ଚାସନେ, ନ ଗଣୁ ପାକଶାସନେ,

ନାଶିବ ତାକୁ ବ୍ୟସନେ, ଦିନେ ତୋ କୁସଙ୍ଗରେ । ୨ ।

 

ଯେ ଦାରା ତନୟ ସର୍ବ, ଲଭି ବହିଅଛୁ ଗର୍ବ,

ଭାବ ସେ ଭବଅର୍ଣ୍ଣବ ଉତ୍ତୁଙ୍ଗତରଙ୍ଗରେ । ୩ ।

 

ବିପଦେ ହେବ କୁ ସାକ୍ଷୀ, ରୋପିଛୁ ଯେ ମିତ୍ରଶାଖୀ,

ତାକୁ ବେଳେ ଦେବ ଚାଖି, ତୋ କୋପ-କୁରଙ୍ଗ ରେ । ୪ ।

 

ବଚନ ଚାତୁରୀ ଶସ୍ତ, ସୁଷମା ଆଦି ସମସ୍ତ,

ମାଟି ହେବ ହେଲେ ଅସ୍ତ, ଜୀବନ-ପତଙ୍ଗ ରେ । ୫ ।

----------------

 

ରାଗ ଖମ୍ବାଜ-କବାଲୀ

 

ଗୋ ଭକ୍ତିଲତେ, ଆନନ୍ଦେ ତେଜି ଅପରେ ।

ମାଡ଼ ସଦା ଗଦାଧର-ପଦ୍ମପାଦ-ପାଦପରେ । ପଦ ।

 

ଶାନ୍ତି କୁସୁମ ପ୍ରକାଶ, ହୋଇ ଚହଟିବ ବାସ,

ଶୁଖିବ ନାହିଁ ପଲାଶ, ପାପ-ତପନ-ତାପରେ । ୧ ।

 

 

ପୀୟୁଷରସ ମଧୁରେ, ଚୁମ୍ବିବ ତାର ମଧୁରେ,

ମୁକ୍ତି ଭ୍ରମରୀ ବିଧୁରେ, ସୁଧୀରେ ବସି ଉପରେ । ୨ ।

 

ଫଳିବ ତହିଁ ଅକ୍ଷୟ, ଯତିଭୋଗ୍ୟ ଫଳଚୟ,

ହେବ ନାହିଁ କେବେ ଲୟ, ଶମନ ସରୀସୃପରେ । ୩ ।

 

ନାହିଁ ଭବଦାନ ଧାପ, ନିରତ ଶ୍ରଦ୍ଧା-ଅବାପ,

ପୂରି ରହିବ ଅମାପ, ବିଶ୍ୱପା କୃପା-ଅପରେ । ୪ ।

———————

 

ରାଗ ‘ଆହେ ଚକାଡୋଳା’ ବୃତ୍ତେ-ତାଳ ଏକତାଳି

 

ହେ ପୀତବାସ, (ଏବେ) ଦୂରେ କଲଣି କି ତୁମ୍ଭେ ବାସ ।

ଶୁଣିଛି ପୂରବେ, ଡାକିଲେ ନୀରବେ, ହରୁଥିଲି ତବେ, ଜନ୍ତୁତ୍ରାସ । ପଦ ।

 

ଗ୍ରାହଗ୍ରସ୍ତ ଗଜରାଜ ଜଳେ, ଅତ୍ୟନ୍ତ ବିକଳେ ହୀନବଳେ,

ହୋଇ କଲବଲ, ଭାବନ୍ତେ କେବଳ, ଚକ୍ରଘାତେ କଲ, ନକ୍ରନାଶ । ୧ ।

 

ଗର୍ଭଭରାଳସା ଏଣୀ ବନେ, ଦାବେ ପଡ଼ି ଧ୍ୟାନ କଲା ମନେ,

ଚିନ୍ତାମାତ୍ର ଘନେ, ଆଜ୍ଞା ଦେଇ ଘନେ, ଲିବାଇଲ ବନେ ଆଶ୍ରୟାଶ । ୨ ।

 

 

ଦ୍ରୂପଦଜା କୁରୁସମିତିରେ, ପଡ଼ି ଦୁର୍ଯ୍ୟୋଧନ କୁନୀତିରେ,

ବୋଳନ୍ତେ ସେ ରକ୍ଷ, ଦୀନଜନ ପକ୍ଷ, ବିତରିଲ ଲକ୍ଷ, ଲକ୍ଷ ବାସ । ୩ ।

 

ଗୃହିଣୀ ବଚନେ ଧନ ଆଶେ, ଶ୍ରୀଦାମା ବ୍ରାହ୍ମଣ ଗଲା ପାଶେ,

ତାହା ସେ ଉଦାସ, ନ କଲା ପ୍ରକାଶ, ପୂର୍ଣ୍ଣକଲ ଦାସ-ଅଭିଳାଷ । ୪ ।

 

ମୁକ୍ତକଣ୍ଠେ ଡାକେ ପୁଣ ପୁଣ, ଅନ୍ତର୍ଯ୍ୟାମୀ କିପାଁ ତା ନ ଶୁଣ,

କେ ଆଉ ନନ୍ଦକୀ, ତାରିବ ପାତକୀ, ଭୃତ୍ୟେ ଉଚିତ କି, ଉପହାସ । ୫ ।

 

ଭଣି ଦାମୋଦର ଥିଲି ମଣି, ତୁମ୍ଭେ ଜଗତରେ ଚିନ୍ତାମଣି ।

ଜାଣିଲି ଏଥର, ହେଲଣି ପଥର,

ବୃଥା ଏ ପଥର, ମୋ ପ୍ରୟାସ । ୬ ।

-------------

 

ରାଗ ‘ଧରୁ ଧରୁ ଉଡ଼ିଗଲା ପକ୍ଷିରେ’ ବୃତ୍ତେ-ତାଳ ଯତ୍‌ ବା ଛପକା

 

କେବେ ମଧୁର ମାଧବ ହୋଇବ, କହ ଦଇବ ।

ବିରହି ବିରହ, ଶିଖୀ ଅହରହ, ମଳୟ ଅନିଳ ତାଇବ । ପଦ ।

 

ଅଧିକ ଆନନ୍ଦ ବିହି ଜୀବନେ, ବିକସିବ ନାନା କୁସୁମ ବନେ,

ପଞ୍ଚମ ରାଗରେ, ରସାଳଅଗରେ, (କେବେ) ପିକ କଳଗୀତି ଗାଇବ । ୧ ।

 

ତପନପୀରତି ଲାଭ ଆଶାରେ, ଫୁଟିବେ କମଳକୁଳ କାସାରେ,

ନବୀନପଲାଶେ ପୁଷ୍ପିତ ପଲାଶେ (କେବେ) ବନ ନବଶୋଭା ପାଇବ । ୨ ।

 

ଖେଳିବେ ମଲ୍ଲିକା ବାତେ ଦୋହଲି, କରିବ ତା କାନେ ଅଳି କାକଳୀ,

ନିଜ ସିତଛବି ଦେଖାଇ ମାଧବୀ, ବାସେ ଆବାସକୁ ଛାଇଁବ । ୩ ।

 

ଅଶୋକ ବକୁଳ ଚମ୍ପା ଆମୋଦେ, ଜଗତ ହୃଦୟ ନାଚିବ ମୋଦେ,

ଜଗଦୀଶ ପଦେ ସଦା ନିରାପଦେ ମୋ ପ୍ରେମ-ପ୍ରବାହ ଧାଇଁବ । ୪ ।

 

ସୁରଭିବାସିତ ହୃଦ ଆସନେ, ଭକତିସଲିଳେ ଧୋଇ ଯତନେ,

ବିଶ୍ୱନିବାସିନୀ, ବିଶ୍ୱବିମୋହିନୀ,

(କେବେ) ବିଶ୍ୱକର୍ମ୍ମା ମୂର୍ତ୍ତି ଥୋଇବ । ୫ ।

———————

 

ରାଗ ଖମ୍ବାଜ-କବାଲୀ

 

ଗୋ ଆଶାଲତେ, ହେଲୁ ତୁ ବଡ଼ ସରସା ।

ପାଇ ଘନଘନ ଘନ ବିଜନ ଅଶ୍ରୁବରଷା । ପଦ ।

ନବ ନବ ପଲ୍ଲବରେ ବଢ଼ୁଛୁ ଯେତେ ଜବରେ,

ପଡ଼ିବୁ ତୁ ଅର୍ଣ୍ଣବରେ, ଅଚିରେ ପୂରାଇ ରସା । ୧ ।

 

 

ହୃଦୟ ଆଳବାଳରେ, ଅଙ୍କୁରି ଅଳ୍ପ କାଳରେ,

ବିଷୟ ପୁଷ୍ପକାଳରେ, ହୋଇଛୁ ସୁଖସ୍ପରଶା । ୨ ।

କି ହେବ ବଢ଼ି କେବଳ, ସ୍ଥାନ କରୁଛୁ କବଳ,

ଯେବେ ତୋର ଅଛି ବଳ, ସୁଭୋଗ୍ୟ ଫଳ ବରଶା । ୩ ।

 

ନ ମାନି କ୍ଷୁଦ୍ରବାଧାରେ, ନିରବଧି କି ରାଧାରେ,

ମାଡ଼ିବାକୁ ଶରଧାରେ, ନେଇଛୁ କାହା ଭରସା । ୪ ।

ଏ କଥା କାହିଁକି ମନେ, ସମୂଳେ ତୋର ଛେଦନେ,

ରାଣ ଦେଉଛି ଗୋପନେ କରାଳ କାଳ ଫାରଶା । ୫ ।

———————

 

ରାଗ ‘ଦଣ୍ଡେ ରହ ରେ ଦେଖୁଁ ଆମ୍ଭେ କାଳିଆଖଣ୍ଡ’ ବୃତ୍ତେ ତାଳ-ଖେମଟା

 

(ହରି) ନାମରତ୍ନ ଯତ୍ନ କରି ରଖ, ହୃଦୟ ସିନ୍ଦୁକେ ।

ଦେଖିଲେ ପଦାରେ ଦୂରେ, ଫିଙ୍ଗିଦେବେ ନିନ୍ଦୁକେ । ପଦ ।

 

ଅତୁଳ ତାହାର କାନ୍ତି, ସହଜେ କେହି ନ ପାନ୍ତି,

କରଇ ଜଗତ ଶାନ୍ତି, ତା ଆଗରେ ଇନ୍ଦୁକେ । ୧ ।

 

ଜଗିଛି କାମନା ଚୋର, କରିବ ବିପଦ ଘୋର,

ତଡ଼ିଦିଅ ତାକୁ ତୋର, କିରାଗିତା-ବନ୍ଧୁକେ । ୨ ।

 

ବାହାରେ ସେ ଅନୁପମେ, ଥୋଇ ଯେ ବିଷୟ ରମେ,

ଅମୃତ ଫରୁଆ ଭ୍ରମେ, ସାଇତେ ସେ ନିନ୍ଦୁକେ । ୩ ।

 

ଭକ୍ତି ତାଲା ଲଗା ଭବେ, ଅନ୍ତର ନ ହୁଅ ଲବେ,

ବିଶ୍ୱାସ କରି ଏ ଭବେ, ମାୟାଦେବୀ-କନ୍ଦୁକେ । ୪ ।

———————

 

ରାଗ ଦେଶମିଶ୍ର ଖମ୍ବାଜ-ତାଳ କଓ୍ୟାଲି

 

କେତେ ଦୂରେ ଅଛ ହରି ଜଗତବାପ ।

ଶୁଭୁଛି କି ନାହିଁ କାନେ ସୂତବିଳାପ । ପଦ ।

 

ପ୍ରଥମରୁ ଏ କୁମାରେ, ନିଷେଧିଲ ନାହିଁ ବାରେ,

ଅଳପେ ଅଳପେ ପାପ ହେଲା ଅମାପ । ୧ ।

 

ନାନା ରୋଗ ଶୋକଚୟ, କରୁଛି ନାଥ ଅଥୟ,

ଝାମ୍ପେ ସଞ୍ଚାଣ ପରାୟ ନିତି ତ୍ରିତାପ । ୨ ।

 

କର ବେଗେ ପରିତ୍ରାଣ, ସହିପାରେ ନାହିଁ ପ୍ରାଣ,

ସାଧୁଙ୍କର ଅଭିଶାପ-ଅନଳ ଧାପ । ୩ ।

 

 

ସତତ ଚିନ୍ତାକଳାପ, ଜନ୍ମାଏ ଚିତ୍ତେ ସନ୍ତାପ,

ଏ ପାପୀକୁ ତବ ପାଦ ସମୀପେ ଥାପ । ୪ ।

———————

 

ରାଗ ‘ସେତ ଦେଇଛି ଜୀବନ ବିକି’ ବୃତ୍ତେ- ତାଳ ଏକତାଳୀ

 

କାଳ ହେଲ କି ମୁରଲୀପ୍ରାଣ ।

କିପାଁ ଡାକିଲେ ନ ଶୁଣ ବାଣୀ । ପଦ ।

 

ନିତି କାନ୍ଦେ ଉଚ୍ଚରେ ବିକଳେ, ତୁମ୍ଭ ଚିତ୍ତ କିଞ୍ଚିତ ନ ଟଳେ,

ଶୁଣି ଶିଳା ହୁଅନ୍ତାଣି ପ୍ରାଣ । ୧ ।

 

ଦୁଃଖସାଗରେ ପଡ଼ି ଯେ ପ୍ରାଣୀ, ଡାକେ ନିଅ ତାକୁ ତହୁଁ ଛାଣି,

ସେ କରୁଣା କି ଊଣା ହେଲାଣି । ୨ ।

 

ଏବେ ହେଲଣି ତୁମ୍ଭେ ନିର୍ଦ୍ଦୟ, ନେଇ ଥାଆନ୍ତି ଅନ୍ୟ ଆଶ୍ରୟ,

ଏହା ଆଗରୁ ମୁଁ ଥିଲେ ଜାଣି । ୩ ।

 

ଡାକି ଡାକି ତ କଣ୍ଠ ଶୁଖିଲା, ତବ କୃପା ତଥାପି ନୋହିଲା,

କି କରିବ ବହିଲେ ଉଜାଣି । ୪ ।

———————

 

ରାଗ ଭୈରବୀ-ତାଳ ଝୁଲା

 

କେ ଜାଳିଲା ମଣିଦୀପ ଆଜି ଅନ୍ଧକାରେ ।

କାହୁଁ ଆଣିଲା ଏଭଳି ନାହିଁ ଅଳକାରେ । ପଦ ।

 

କିରଣରାଜି ପ୍ରକାଶି, ମୋ ନିବିଡ଼ ତମୋରାଶି,

ନିମିଷ ମଧ୍ୟରେ ଗ୍ରାସି, ଗଲା ଅବିକାରେ । ୧ ।

 

ନୁହଇ ବାତେ କମ୍ପିତ, ସଲିଳରେ ନିର୍ବାପିତ,

ନ ଲୋଡ଼େ ଏ କଦାଚିତ, ତୈଳାଦି ସଂସ୍କାରେ । ୨ ।

 

ଜାଣିଥିଲି ଭାବନାରେ, ବହୁରୂପ ବୋଲି ଯାରେ,

ଏ ଆଲୋକେ ଦେଖେ ତାରେ, ଗୋଟିଏ ଆକାରେ । ୩ ।

 

ପାଇ ଏହି ମନୋରମ, ଅନ୍ୟ ଦାନେ ନୁହେଁ କ୍ଷମ,

ତୋଷିବି ତାହାଙ୍କୁ ନମ-ସ୍କାର ପୁରସ୍କାରେ । ୪ ।

 

ରହିଲେ କ୍ଷଣେ ଅନ୍ତରେ, ପଡ଼ିଯିବି ଦୂରନ୍ତରେ,

ତମେ ଜନମେ ଅନ୍ତରେ, ଏତିକି ଦକାରେ । ୫ ।

———————

 

 

ରାଗ ‘ବାଜିଲା ବଂଶୀସ୍ୱନ ନିକୁଞ୍ଜ କାନନ’ ବୃତ୍ତେ-ତାଳ ଏକତାଳି

 

ଆଗରୁ ଭାବି ରଖ ରେ, (ତୋର) ତରିବା ଉପାୟ ।

ଘଟିବ ଘାଟିରେ ଦିନେ ପୋତର ଅପାୟ । ପଦ ।

 

ପୁରୁଣା ହେଲେ ତରିଟି, ଯୋଡ଼ମୁଣ୍ଡ ଯିବ ଫିଟି ।

ତା ଜାଣି ସଙ୍ଗ କେତୋଟି ନେବେଟି ବିଦାୟ । ୧ ।

 

ଅନ୍ୟ ସହଚରମାନେ, ଭୟରେ ଯେ ଯାହା ସ୍ଥାନେ ।

ପଡ଼ି ରହିବେ ଅଜ୍ଞାନେ, ହେବୁ ନିଃସହାୟ । ୨ ।

 

ପାଣି ପ୍ରବଳ ବତାସେ, ପଶିଯିବ ଆଶେପାଶେ ।

ସେ ବିପଦ ଦେଖି ତ୍ରାସେ, ଥରିବ ତୋ କାୟ । ୩ ।

 

ପାଲ ଗୋଟି ଓଲଟିବ, ଘୋର ତିମିର ଘୋଟିବ ।

କୃତାନ୍ତ କରିବ ଜୀବ-ରତନ ଆଦାୟ । ୪ ।

 

ତୋର ଦଶା ଦରଶନେ, କୂଳସ୍ଥିତ ବନ୍ଧୁଜନେ ।

ହାହାକାର କରି କ୍ଷଣେ, ହୋଇବେ ଅମାୟ । ୫ ।

———————

 

 

ରାଗ ମରୁଆ-ତାଳ ଆଠତାଳି

ପାପୀ ପ୍ରେତଙ୍କର, ଶୁଣ ଦୁଃଖ କାନେ, ହେ ଭାଇମାନେ । ପଦ ।

ଅନ୍ଧକାରମୟ ଅତ୍ୟନ୍ତ ଶୀତଳ,

ନାହିଁ ତହିଁ ବୃକ୍ଷ ଲତା ଜଳ ସ୍ଥଳ,

ଗୃହ ସଖା ଜାତି, ନାହିଁ ଦିନରାତି,

ଅଛୁଁ ଆମ୍ଭେ ଯେଉଁ ଥାନେ । ୧ ।

ସ୍ଥିରେ ରହିବାର ନାହିଁ ତ ଆୟତ୍ତ,

ଭ୍ରମୁଥାଉଁ ସଦା ବାତଚକ୍ର ବ୍ରତ,

ନାହିଁ ବଡ଼ ସାନ, ସମସ୍ତେ ସମାନ,

କେହି କାହାକୁ ନ ମାନେ । ୨ ।

କହିବାର ଇଚ୍ଛା ହୁଏ ଷୋଳପଣ,

କିନ୍ତୁ କରି ନୁହେ ବର୍ଣ୍ଣ ଉଚ୍ଚାରଣ,

କେବେ କାଳ ଆସି, ବାନ୍ଧି ରାଶି ରାଶି,

ପକାଇ ଦିଏ ଉତ୍ତାନେ । ୩ ।

ସୂଚୀସମ ତୁଣ୍ଡ ଡ଼ୋଲି ତୁଲ୍ୟ ପେଟ,

ସବୁବେଳେ ଖାଦ୍ୟ ପଡ଼େ ନାହିଁ ଭେଟ,

ଅମେଧ୍ୟ ସକଳ, ବାଧ୍ୟରେ କେବଳ,

କରୁଁ ସଦା ସୁଧାଜ୍ଞାନେ । ୪ ।

 

ପୂର୍ବେ ମିଳୁଥିଲା ତର୍ପଣରୁ ବାରି,

ଶ୍ରାଦ୍ଧରୁ ସୁସ୍ୱାଦୁ ଅନ୍ନ କ୍ଷୁଧାହାରୀ,

ନବ୍ୟଯୁଗ ମତ, କଲା ପରିଣତ,

ତାହାକୁ ଅଯଥା ତାନେ । ୫ ।

 

ସ୍ୱଦେଶ ସ୍ୱଦେଶ ବୋଲୁଅଛ ମୁଖେ,

ସହାୟ ନ ହୁଅ କେହି କାହା ଦୁଃଖେ,

ପରଭାଷାବେଶେ, ପରେ ଦେଲ କେଶେ,

ନ ଗଣିଲ ଅପମାନେ । ୬ ।

 

ହରାଇଲ ଶିଳ୍ପ-ଚାତୁରୀ ପୂର୍ବର,

ହସୁଛନ୍ତି ଦେଖି ତୁମ୍ଭଙ୍କୁ ବର୍ନ୍ଦର,

ସ୍ୱଦ୍ରବ୍ୟ ଉପେକ୍ଷି, ପରସୁଖାପେକ୍ଷୀ,

ହେଲ ବୃଥା ଅଭିମାନେ । ୭ ।

 

ତୁମ୍ଭ ଭବିଷ୍ୟତ ଘୋର ତମୋମୟ,

ଦରଶନେ ମନେ ଜାତହୁଏ ଭୟ,

ଏଣୁ ବର୍ତ୍ତମାନ, କଲୁଁ ସାବଧାନ,

ଚଳ ନିଗମ ବିଧାନେ । ୮ ।

 

 

ସ୍ୱଧର୍ମେ ମରଣ ଶ୍ରେୟ ବୋଲେ ଗୀତା,

ପଢ଼ି ଶୁଣି ଭାଇ ପାଶୋରିଲ କି ତା,

ନୋହି ଆମ୍ଭ ପରି, ସୁକୃତ ଆଚରି,

ବିହର ବ୍ୟୋମବିମାନେ । ୯ ।

———————

 

ରାଗ ଭୈରବୀ-ତାଳ ଝୁଲା

ଆନନ୍ଦେ ଜୀବନ ଶୁକ ବସି ଶାନ୍ତିବଟେ ।

ପୀତପଟ ନାମ ରଟ ସଦା କଣ୍ଠତଟେ । ପଦ ।

ମିଳେ ତାକୁ ସୁଧାଫଳ            ବିମଳ ଶୀତଳ ଜଳ

ଯେ ବୋଲଇ ହରେକୃଷ୍ଣ ନିତି ଅକପଟେ । ୧ ।

ଅଧିକ କି ଅବିରାମ                  ଜପେ ଯେ ମାଧବ ନାମ

ଉଭୟ ଲୋକରେ ସୁଖ ତା ଭାଗ୍ୟରେ ଘଟେ । ୨ ।

ନୀରବେ ବା ଉଚ୍ଚସ୍ୱରେ            ଜପିଲେ ଶୁଭେ ଈଶ୍ୱରେ

ରହି ଅଛନ୍ତି ସେ ହରି ପୂରି ଘଟେ ଘଟେ । ୩ ।

ଜାଣି ଥା ବିଶ୍ୱପାବନ            ନାମ ନ ଭଜେ ଯେ ଜନ

ବିଷୟ ଖେଳନା ଦେଇ କାଳ ତାକୁ କଟେ । ୪ ।

———————

 

ରାଗ ସାହାନା-ତାଳ ଏକତାଳି

ପାଇବୁ ଗତି, ବୋଲ କୁମତି, ଜୟ ଜନନୀ କାଳିକା ।

ପ୍ରୀତିରେ ମାତି, ବାସର ରାତି, ଦେଇ ହାତେ ତାଳିକା । ପଦ ।

 

କେଶରିବାହିନୀ ମୁକ୍ତବସନା,            ଭୈରବନାଦିନୀ ଲୋଳରସଁନା

କାନ୍ତି ନମୁନା, ଯାର ଯମୁନା, ନୀଳ-କମଳ-କାଳିକା । ୧ ।

 

ମସ୍ତକ ଅଭୟ ଖଡ଼୍‌ଗ ଖପରେ      ଶୋଭିତ ସତତ ଯା ଚାରିକରେ

କଣ୍ଠେ ସୁନ୍ଦର, ଭକ୍ତନିକର, ପାଣ୍ଡର ମୁଣ୍ଡମାଳିକା । ୨ ।

 

ଯା କଟି ଭୂଷଣ କରପ୍ରକର,       କେଶପାଶ ଦିଶେ ଉଡ଼େ ଫର୍ଫର

ରକ୍ତନୟନା, ଦୈତ୍ୟଦଳନା, ଶୈଳ-ନୃପତି-ବାଳିକା । ୩ ।

 

ସୁଧାକର-ଖଣ୍ଡ ରାଜେ ମସ୍ତକେ,      ଶମ୍ପା ସମ ଯାର ଭୂଷା ଝଟକେ

ଆପଦ ଘାସ, ରାଶି ବିନାଶ-କାରିଣୀ ନବହାଳିକା । ୪ ।

 

ତାଙ୍କ ଶ୍ରୀଚରଣକମଳେ ନତ,            ହୋଇଲେ ରହିବୁ ସୁଖେ ସତତ

କାଳିକାପୁର, ବାସିନୀ ସୁର-ସେବକକୁଳ ପାଳିକା । ୫ ।

———————

 

 

 

ରାଗ ଖମ୍ବାଜ-ଗଜଲି-ଯତ୍‌

 

ଇଚ୍ଛା ଥିଲେ, ଜୀବ ଗାଢ଼, ଭବପାଶ ଛେଦିବାରେ ।

ରଜନୀ ଦିବସ ଲାଗ, ଜାନକୀଜାନି ସେବାରେ । ପଦ ।

 

ସୀତାଦେବୀ ସ୍ୱୟମ୍ବରେ, ଭବ ଶରାସନବରେ,

ଭାଙ୍ଗିଲେ ଯେ ସହଜରେ, ତାଙ୍କ ପକ୍ଷେ ଏ କିବା ରେ । ୧ ।

 

କ୍ଷତ୍ରିୟଙ୍କ ତେଜୋହର, ଭବଶିଷ୍ୟ ପଶୁଧର,

କ୍ଷମ ନ ହେଲେ ତାଙ୍କର, ପରାଭବ କରିବାରେ । ୨ ।

 

ତାଙ୍କ କିଞ୍ଚିତ କୃପାରେ, ସବୁ ସାଧ୍ୟ ହୋଇପାରେ,

ବାନ୍ଧିଛନ୍ତି ସେ ଶିଳାରେ, ଭବେ ବନ୍ଧ ପରାବ ରେ । ୩ ।

 

ହେଲାଣି କି ନାହିଁ ଭାତ, ଜାଣିବା ନିମନ୍ତେ ଭ୍ରାତ,

ହାଣ୍ଡିରୁ ଗୋଟିଏ ମାତ୍ର, ଚିପଇ ପାଚକ ବାରେ । ୪ ।

----------------

 

ରାଗ କାମୋଦୀ-ଏକତାଳି

 

(କହ) କେ ତୋତେ ଆଣିଲା ଏ ଦେଶକୁ ରେ ।

ବହିଛୁ ଅଶ୍ୱ ବହୁ ବେଶକୁ ରେ । ପଦ ।

ଭ୍ରମି ତୁ ନାନାଥାନେ, ସମ୍ମାନେ ଅପମାନେ,

(ତୁତ) ଦେଖାଉ ନିଜ ସରକସକୁ ରେ । ୧ ।

 

ସକଳ ଘରେ ଥାଉ, ଦିବାରଜନୀ ଧାଉଁ,

(ତୁହି) ନ ଯାଉ ତୁ କାହାରି ବଶକୁ ରେ । ୨ ।

ଧନ୍ୟ ତୋ ଗୁଣ ଗ୍ରାମ, ଧନ୍ୟ ତୋହର ଧାମ,

(ତୋର) ଯାଇ ନ ପାରେ କେହି ପାଶକୁ ରେ । ୩ ।

 

ଯୋଗବଳରେ ଯତି, ସମ୍ଭାଳି ନ ପାରନ୍ତି,

(ସେତ) ଚିରକାଳ ଧରି ତୋ କେଶକୁ ରେ । ୪ ।

କେଉଁ ସ୍ଥାନରୁ ଆସି, ଏତେ ଲୀଳା ପ୍ରକାଶି,

(କହ) ଯିବୁ ତୁ କେଉଁଠାରେ ଶେଷକୁ ରେ । ୫ ।

-------------

 

ରାଗ ‘କାହିଁଗଲେ ମୂରଲୀଫୁଙ୍କା’ ବୃତ୍ତେ-ତାଳ ଝୁଲା

 

ଦେବଦେବ ନିଜ ଦେବନେ, ରଚିଅଛ ତୁମ୍ଭେ ଏ ତ୍ରିଭୁବନେ ।

ପାଳୁଅଛ ତୁମ୍ଭେ ସହସ୍ର ଯତନେ ତୁମ୍ଭେ ଏକା କ୍ଷମ ଏହା ଲବନେ । ପଦ ।

 

ତୁମ୍ଭେ ଗଣପତି ବିଘ୍ନବିନାଶନ, ଚନ୍ଦ୍ର ସୂର୍ଯ୍ୟ ଗ୍ରହ ପାକଶାସନ ।

ତୁମ୍ଭେ ଶିବ ବ୍ରହ୍ମା ତୁମ୍ଭେ ରମା ଉମା ତୁମ୍ଭେ ସରସ୍ୱତୀ ବିଦ୍ୟାଭବନେ ।।

 

ତୁମ୍ଭେ ନୀଳାକାଶ ତୁମ୍ଭେ ସାଗର, ତୁମ୍ଭେ କଳ୍ପଦ୍ରୂମ ହେମଭୂଧର ।

ତୁମ୍ଭେ ଜଳ ସ୍ଥଳ, ଅନିଳ ଅନଳ, ତୁମ୍ଭେ ସୁରଧୁନୀ ବିଶ୍ୱପାବନେ । ୨ ।

 

ତୁମ୍ଭେ ରାଜରାଜପାଶୀ କୀନାଶ, ତୁମ୍ଭେ ମହାମୁନି ନାରଦ ବ୍ୟାସ,

ଶେଷ ନାଗପୁରେ ପ୍ରହ୍ଲାଦଅସୁରେ, ତୁମ୍ଭେ ରାଜାଭୂରେ ପ୍ରଜାଅବନେ ।।

 

ତୁମ୍ଭେ କାଳତାରା ଦିବସରାତି, ତୁମ୍ଭେ ଶତହ୍ରଦା ମେଘ ଦ୍ୱିଜାତି,

ତୁମ୍ଭେ ସପ୍ତଲୋକ, ତିମିର ଆଲୋକ, ତୁମ୍ଭେ ବିକସିତ କୁସୁମବନେ । ୪ ।

 

ତୁମ୍ଭେ ଯାଗ ଯଜମାନ ଯାଜକ, ତୁମ୍ଭେ ପୂଜ୍ୟ ପୂଜା ପୁଣ ପୂଜକ,

ସତୀର ସତୀତ୍ୱ, କୃତୀର କୃତିତ୍ୱ, ତୁମ୍ଭେ ଏକା ପ୍ରଭୁ ଜୀବଜୀବନେ । ୫ ।

--------------

 

ରାଗ ‘ଧରୁ ଧରୁ ଉଡ଼ିଗଲା ପକ୍ଷିରେ’ ବୃତ୍ତେ-ତାଳ ଯତ୍‌ ବା ଛପକା

 

ଶ୍ରୀନିବାସରେ ! ଆସ ଆସ ତୁ ମୋର ଆବାସରେ ।

କେ ତୋତେ ଶିଖାଇ, କରିଦେଲା ବାଇ,

ଯିବାକୁ ଦୂର ପ୍ରବାସରେ । ପଦ ।

ଚନ୍ଦ୍ରମାବଦନ, ମୋ ଜୀବଜୀବନ, ଆସ ତୁ ମୋର ଆବାସରେ ।

ଗୁନ୍ଥି ମଲ୍ଲୀଫୁଲ, ବାନ୍ଧିଦେବି ଚୂଳ,

ପୂରିବ ପୁର ସୁବାସରେ । ୧ ।

 

ଚନ୍ଦ୍ରମାଦନ...      ...      ...      ...

ତଡ଼ିତେ ମୁଦିର, ସରି ତୋ ଶରୀର,

ସଜାଇବି ପୀତବାସରେ । ୨ ।

 

ଚନ୍ଦ୍ରମାବଦନ...      ...

ତାହା ଦେବି ଆଜି, ଯହିଁରେ ତୁ ରାଜି,

ହେବୁ ଲହୁଣୀ ଅବା ସରେ । ୩ ।

 

ଚନ୍ଦ୍ରମାଦନ...      ...      ...      ...

ଡକାଇ ଦ୍ୱିଜାତି, କରାଇବି ଶାନ୍ତି,

ଧନ ଏ ଅଶୁଭ ବାସରେ । ୪ ।

--------------

 

ରାଗ ସୁରଠ-ତାଳ ଏକତାଳ

 

କେତେଦିନ ପାଇଁ ଏତେ ଘରେ ମମତା ରେ ।

ଏହା ତେଜି ରଖ ହେଜି, ସର୍ବେ ସମତାରେ । ପଦ ।

 

ରେ ମୂଢ଼ କାହୁଁ କି ଜାଣି, ଜନମେ ଭବେ ଯେ ପ୍ରାଣୀ,

କର୍ମ୍ମଭୋଗ ଶେଷେ ଟାଣି ନିଏ ଯମ ତାରେ । ୧ ।

 

 

କୋଟି କୋଟି ନରନାରୀ, ଯାନ୍ତି ଭବଲୀଳା ସାରି,

କିଛି ନେବାକୁ କାହାରି ନାହିଁ କ୍ଷମତା ରେ । ୨ ।

 

ପାଇବୁ ଯେବେ ସଦ୍‌ଗତି, ବନେ ବିରଚି ବସତି,

ଶ୍ରୀପତିସ୍ତୁତିରେ ସତୀ ମତିକୁ ମତା ରେ । ୩ ।

 

କି ଲାଭ ହେବ ନଶ୍ୱରେ, ଡାକି ସେ ଅବିନଶ୍ୱରେ,

ଅଖିଳବିଶ୍ୱ ଈଶ୍ୱରେ ବାନ୍ଧ ପ୍ରେମତାରେ । ୪ ।

--------------

 

ରାଗ ‘ଆହେ ଚକାଡ଼ୋଳା’ ବୃତ୍ତେ-ତାଳ ଏକତାଳି

 

ହେ ଅନ୍ଧସ୍ୱାମୀ, (ତୁମ୍ଭେ) ଦୀନ ବୋଲ ନୁହ ଅଧୋଗାମୀ । ପଦ ।

କହନ୍ତୁ ଯେ ଯାହା କହିବାର, ହୋଇଛି ମୁଁ ପାତ୍ର ସହିବାର,

ଜନ୍ମାନ୍ତରେ ଦାନ, ନ କଲି ଅଜ୍ଞାନ, କି ହୋଇବ ଏବେ ହେଲେକାମ

 

କରେ ନିତି ସୁଖ ଦୁଃଖ ଯୋଗ, ବିଧି ଅନୁସାରେ ନରଭୋଗ,

ହୁଅ ମନ ଧୀର, କିଛି ନୁହେ ସ୍ଥିର, ଏ ଜଗତ କ୍ଷଣ ପରିଣାମୀ । ୨ ।

 

ତୋହର ସନ୍ତୋଷ ଲାଗି ଚିତ୍ତ, ଅରଜନ୍ତି ଯହିଁ ତହିଁ ବିତ୍ତ,

ଲାଗିବେ ସେଧନେ, କିସ ପ୍ରୟୋଜନେ, ନିଶ୍ୱାସବତାସ ଗଲେ ଥାମି ।।

 

ବିଶ୍ୱପତି ପଦ୍ମଚରଣରେ, ସବୁ ଛାଡ଼ି ନିଅ ଶରଣରେ,

ପାଇ ଭବହାରୀ ସଦା ଶାନ୍ତି ବାରି, ନିଧନତା ତାପ ଯିବ ଶାମି । ୦ ।

----------------

 

ରାଗ ଝିଂଝିଟ-ତାଳ ଝୁଲା

 

ଶ୍ରୀନାଥ ମୋର । ମୋହ ଯାମିନୀ କି ପାହିବ ? । ପଦ ।

ଶାନ୍ତି-ପ୍ରଭାତରେ ଧୀର, ସତ୍ୟ-ଶୀତଳ ସମୀର,

ବହି ପ୍ରୀତି-ଗନ୍ଧ ବହିବ । ୧ ।

 

ଷଡ଼ବର୍ଗ-ରାତ୍ରିଚରେ, ପଳାଇବେ ଅଗୋଚରେ,

ଆଶା-ପେଚା ଲୁଚି ରହିବ । ୨ ।

 

ବିଷୟ-ନକ୍ଷତ୍ର ସହ, ମମତା-ଶଶୀ ଦୁଃସହ,

ଅସ୍ତପାତ କଷ୍ଟ ସହିବ । ୩ ।

 

ଈଶସ୍ତୁତି-ପକ୍ଷୀରବ, ଭକତି ରଥାଙ୍ଗେ ଜବ,

ଏ ଶୁଭ ସମ୍ବାଦ କହିବ । ୪ ।

 

ହୃଦୟ-ଗଗନେ ମୁଦେ, ଜ୍ଞାନରବି ହୋଇ ଉଦେ,

ସାଧୁ ସରସିଜେ ମୋହିବ । ୫ ।

------------

 

ରାଗ ଝିଂଝିଟ

 

ଭବଭିକାରି, ଭିକରେ ଦେଲୁ ସଦା ଚିତ୍ତ ରେ ।

(ଦିନେ)      ଭାବିଲୁ ନାହିଁ ଆତ୍ମା ହିତ ରେ । ପଦ ।

ଭଙ୍ଗୁର ଏ ଜଗତ ପଢ଼ି ଶୁଣି ପୁରାଣେ,

ଭୋଗ ଆଶାରେ କଷ୍ଟ ସହିଲୁ ତୁ ପୁରାଣେ,

ଭୀଷଣ ଯମରାଜ୍ୟେ ‘ଭାଇ କହ ମୋରାଣେ’,

(ତୁହି)      ଭାର କରି ନେବୁ କି ବିତ୍ତରେ । ୧ ।

 

ଭାରିଯା ଶାନ୍ତି ସୁଖ ପଥରେ ହେଲା କଣ୍ଟା,

ଭ୍ରମି ଭ୍ରମି ସତତ ଭାଙ୍ଗି ପଡ଼ିଲା ଅଣ୍ଟା,

ଭାସିଗଲା ଯୌବନ ଟୋକାଏ କଲେ ଥଟ୍ଟା,

(ତୋର)      ଭାରି ହେଲାଣି ସ୍ୱଜୀବିତ ରେ । ୨ ।

 

ଭଲମନ୍ଦ ନ ବାରି ଯାହାଙ୍କ ରକ୍ଷା ପାଇଁ,

ଭାତ ଲୁଗା ତୁ ମାଗୁଥିଲୁ ସାଇକି ସାଇ,

ଭଗାରି ହେଲେ ଦେଖି ସେ ତୋର ଦଶା ଭାଇ,

(ଆଜି)      ଭୀତ ହୋଇ ଲୁଚିଲୁ ଭିତରେ ।୩।

 

 

 

ଭୁବନନାଥ ଥାଉଁ ହୃଦୟ-ବସତିରେ,

ଭକ୍ତିମାତ୍ର ଦିଅନ୍ତି ଯେ ସ୍ଥିର ବିଭୂତିରେ,

ଭଜିଲୁ ବୃଥା କେତେ କୃପଣ ଭୂପତିରେ,

(ଭାଇ)      ଭାଟ ସଦୃଶ ଯଶୋଗୀତରେ ।୪।

———————

 

ରାଗ ଦେଶମିଶ୍ର ଖମ୍ବାଜ-ତାଳ କଓ୍ୟାଲି

 

ନ ଜାଣୁ ଆସିବ ଦିନେ ଶମନବାଡ଼ୀ ।

ସୁନ୍ଦର ଶରୀର-ଗ୍ରାମ ଦେବ ଉଜାଡ଼ି । ପଦ ।

 

କାନ ନୟନ ପ୍ରଭୃତି, ସଖା ଦେଖି ତା ଆକୃତ,

ପ୍ରାଣ ଘେନି ପଳାଇବେ ପାଖରୁ ଛାଡ଼ି ।୧।

 

ହାତଗୋଡ଼ କେତେ ଗୋଟି, ନୀରବେ ଭୂମିରେ ଲୋଟି,

ବାଡ଼ିଆରେ ପଡ଼ିଯିବେ ବଦନ ମାଡ଼ି ।୨।

 

ମାରି ପେଟଟଣା ଥିଲା ଭାଙ୍ଗିବ ପଶ୍ଚିମ କାନ୍ଥି,

ବମିଟଙ୍କେ ଦେବ ପୂର୍ବ ଦ୍ୱାରକୁ ତାଡ଼ି ।୩।

 

ପିପାସା ଅନଳ ଘରେ, ଜଳାଇ ଦେବ ପ୍ରଖରେ,

ରକ୍ତ ହେବ ପାଣି ପୁଣ ଅଚଳ ନାଡ଼ୀ ।୪।

 

ହାହାକାର କରୁଁ କରୁଁ, ସହସା ପ୍ରବେଶି ଘରୁଁ,

ଅମୂଲ୍ୟ ଜୀବ ରତନେ ନେବ ସେ କାଢ଼ି ।୫।

———————

 

ରାଗ ‘ଧରୁ ଧରୁ ଉଡ଼ିଗଲା ପକ୍ଷୀ ରେ’ ବୃତ୍ତେ-ତାଳ ଯତ୍‌ ବା ଛପକା

 

ଯାହା ହେବାର ଥିଲା ତା ହେଲାଣି । ମା ଗୋ କଲ୍ୟାଣି ।

ଅବିଦ୍ୟେ ସମ୍ପ୍ରତି ସଦୟେ ମୋ ପ୍ରତି, ଶ୍ରୀଛାମୁରୁ ଦିଅ ମେଲାଣି ।ପଦ।

 

ନାହିଁ କିଛି ପ୍ରାପ୍ୟ ଦେଖ ତୁ ଖାତା, ପ୍ରଚଣ୍ଡ ପ୍ରତାପ କାଳ ଗୁମାସ୍ତା,

ତୁମ୍ଭ ସ୍ନେହଋଣ, କରି ଲକ୍ଷେ ଗୁଣ, ମୋଠାରୁ ଆଦାୟ ନେଲାଣି ।୧।

 

ସଦା ତବ କୋଳେ ଲଭି ଶରଣ, ଦିନେ ନ ଦେଖିଲି ପିତୃଚରଣ,

ଆଜି ଏହି ଘୋର, ଭାବନାରେ ମୋର, ଠାବେ ଠାବେ ବିଷ ମଲାଣି ।୨।

 

ଦେଇଅଛ ମୋତେ ଯେ ଦୁଃଖ ସୁଖ, କହି ନ ପାରିବେ ତା କୋଟିମୁଖ,

କେତେ ଜୀବହତ୍ୟା, କରିଛି ଅଗତ୍ୟା, କହିଲେ ହୋଇବି ଚଲାଣି ।୩।

 

ତୁମ୍ଭରି ଆଦେଶେ ନାନା ବେଶରେ, ଭ୍ରମିଲି ଚୌରାଶୀଲକ୍ଷ ଦେଶରେ,

ହୋଇଅଛି କାମ, ନେବାକୁ ବିଶ୍ରାମ, ବୁଲି ପାଦ ଥକି ଗଲାଣି ।୪।

 

କେଉଁ ଦିଗେ ଅଛି ଶାନ୍ତି-ନିଳୟ, ପ୍ରଳୟେ ଯାହାର ନୁହେ ବିଲୟ,

ବିଶ୍ୱଆବରଣି, କହ ସେ ସରଣୀ, ଯେ ମୋତେ ନ ହେବ ବୁଲାଣି ।୫।

———————

 

ରାଗ ପୁରୀ-ଆଦିତାଳ, ଅଡ଼ାଟେକା

 

ଏ ଲୋକଟା ବଡ଼ ପାଜି, ରେ ବାବାଜି ।

ଧରମ କରମ ବରଜି ଜୀବିକା କରିଅଛି ଦଗାବାଜୀ ରେ ।ପଦ।

ଭିତରେ ଆଣ୍ଠୁଏ ଝାଟୁଆ ପକାଇ ବାହାରେ ହୁଅଇ ମାଜି ।

ଭଲମନ୍ଦ ବାଣୀ, ନ ପାରଇ ଜାଣି, ସବୁଥିରେ କରେ ହାଜି ରେ ।୧।

 

ଶାଗପେଜ ବେଳେ ପେଟକୁ ନ ପାଏ ରାଜା ସଙ୍ଗେ ମାରେ ବାଜି ।

କଡ଼ାଏ କାହାକୁ, ଅକ୍ଷମ ଦେବାକୁ, କଥାକହେ ଗଳଗାଜିରେ ।୨।

ମୁସଲମାନଙ୍କୁ ପ୍ରତାରିବାପାଇଁ ହୁଏ ଦିନେ ଦିନେ କାଜୀ ।

କୀର୍ତ୍ତନଛଟକେ, ହିନ୍ଦୁଗଣେ ଠକେ, ଚଇତନ ବେଶ ସାଜି ରେ ।୩।

 

ଗ୍ରାମେ ଗ୍ରାମେ ବୁଲି ଦେଖାଏ ଲୋକଙ୍କୁ ଅନେକ କୁହୁକବାଜୀ ।

ବିଜୟା ଲାଳସେ, ଏ ଶଠର ବଶେ, ହୁଅନ୍ତି ପାମରେ ରାଜି ରେ ।୪।

ତେଜି ମୂଳମନ୍ତ୍ର ପାଣ୍ଠି କରିଅଛି ପରନିନ୍ଦାବାଦରାଜି ।

ବହୁଦିନ ଧରି, ପରୀକ୍ଷା ଆଚରି, ଚିହ୍ନିଲି ଏହାକୁ ଆଜି ରେ ।୫।

———————

 

ରାଗ ସୁରଠ ଗୁଜ୍ଜରୀ-ଆଡ଼ତାଳ

 

ବିଶ୍ୱପାବନ, ଲୁଚିଲେ ଏ ଛାଡ଼ିଦେବ କି ? ପଦ ।

ଏ ପରା ଭବତରଣେ, ନିରତ ତବ ଚରଣେ,

ମତିକି କରିଚି ସେବକୀ ।୧।

 

ନିଜକୁ ତେଜିବା ଲାଗି, କରୁଅଛ ଦୁଃଖଭାଗୀ,

ତହିଁରେ ଏ ଭୀତ ହେବ କି? ।୨।

 

ଯାହା ଇଚ୍ଛା ତାହା କର, ଥାଉଁ ଏ ଅମୃତସର,

ପଲ୍ୱଳ ଆଶ୍ରୟ ନେବ କି ? ।୩।

 

ଭାବି ତୁମ୍ଭଙ୍କୁ ଅନ୍ତରେ, ଏ ଜନ୍ମେ ବା ଜନ୍ମାନ୍ତରେ

ଦେଖିବ ଲଗାଇ ଭେଳକି ।୪।

--------------

 

ରାଗ ମୁଖାରୀ-ତାଳ ଝୁଲା

 

କାନ୍ଦିବି କି ଶୁଣି ହସିବି ରେ ।ପଦ।

ଏକତ୍ର ପାଞ୍ଚସାତ, ବସି ହଲାଇ ହାତ,

କରନ୍ତି ଯେ ଅସାର, ପରସ୍ପର ବିଚାର ।୧।

 

କେ ବୋଲଇ ଏଥର, ଅଣାଇ ମୁଁ ପଥର,

ତୋଳାଇବି ପ୍ରାସାଦ, ଦେଇଅଛି ବରାଦ ।୨।

 

କେ ବୋଲେ ଏ ବରଷ, ଚାଷ ହେବ ସରସ,

ମୁଁ ହଳବିଶାରଦ, କିଣିଲିଣି ବଳଦ ।୩।

 

କେ କହେ ନାହିଁଡର, ଡେପୁଟି କଲେକ୍‌ଟର,

ହେଲାଣି ମୋ ନନ୍ଦନ, ଆଣିବ ବହୁଧନ ।୪।

 

 

କେ ବୋଲେ ହାଇମାରି, ବସିଛି ସବୁ ସାରି,

କେବଳ ପରିଣୟ, କରି ନାହିଁ ତନୟ ।୫।

 

କେ ବୋଲେ ତଡ଼ବଡ଼ି, ଭିକାରିଗଣେ ତଡ଼ି,

ନ ଦେଲେ ଦେଶ ଭାଇ, ଉନ୍ନତ ହେବ ନାହିଁ ।୬।

 

କେ ବୋଲେ ପରିଶ୍ରମ, କରଣେ ଯେ ଅକ୍ଷମ,

କେବଳ ସେହି ଜନେ, ରତ ହରିଭଜନେ ।୭।

———————

 

 

 

ରାଗ ପୁରୀ-ଆଦିତାଳ

 

ହୁଅ ନାହିଁ ତୁ ଅଥୟ ରେ, ହୃଦୟ ।ପଦ।

ଜଗତବନ୍ଦନ, ଶ୍ରୀନନ୍ଦନନ୍ଦନ, ପାଦପଦ୍ମେ କର ଲୟ ।

ବିଶ୍ୱନାଥ ନାମ, ଜପ ଅବିରାମ, ତୁଟିବ ଶମନଭୟ ।୧।

 

ହରିଗୁଣଗଣ, କର ତୁ ସ୍ମରଣ, ହେବ ଭାଗ୍ୟର ଉଦୟ ।

କୃଷ୍ଣ ପଦତଳେ, ରହିଲେ ନିଶ୍ଚଳେ, ହେବ ତ୍ରିତାପର କ୍ଷୟ ।୨।

 

ଶାନ୍ତିଦାନ ଆଶେ, ଆସିବେ ତୋ ପାଶେ, ଅବଶ୍ୟ ସେ ଦୟାମୟ ।

ତାଙ୍କ ଦରଶନ, ଲଭିଲେ ବନ୍ଧନ, ଫିଟିବ ତୋର ନିଶ୍ଚୟ ।୩।

———————

 

ରାଗ ‘ବାଜିଲା ବଂଶୀସ୍ୱନ ନିକୁଞ୍ଜକାନନ’ ବୃତ୍ତେ-ତାଳ କଓ୍ୟାଲି

 

ଦିନେ ତ ମହାପଥରେ, ହେବୁ ତୁ ପଥିକ ।

ବେଳରୁ ସୁସଙ୍ଗୀ ଜଣେ ରଖ କରି ଠିକ ।ପଦ।

 

ଦସ୍ୟୁଗଣ ଘେରିପଡ଼ି, ଛାଡ଼ିଲେ ଭୀଷଣ ରଡ଼ି,

ତାହାଙ୍କୁ ଦେବାରେ ତଡ଼ି, ଯେ ହେବ ରଥିକ ।୧।

 

 

ସେ କାନ୍ତାର ପଥ ପାଇଁ, ଉପଯୁକ୍ତ ଲୋକ ଚାହିଁ,

ଆବଶ୍ୟକ ହେବେ ନାହିଁ, ଗୋପାଳ ବାରିକ ।୨।

 

କେବେ ଯିବୁ ଏ ଭାବନା, କଦାଚନ ତୁ କର ନା,

ସପ୍ତାହ ପୂର୍ବରୁ ଜଣା, ପଡ଼ିବ ତାରିକ ।୩।

 

ପାଇବୁ ବିନା ଅରଜେ, ସେହି ସଙ୍ଗୀଟି ସହଜେ,

ହରିଚରଣ-ଜଳଜେ, ମନଧନ ବିକ ।୪।

———————

 

ରାଗ ଦେଶମିଶ୍ର ଖମ୍ବାଜ-ତାଳ କଓ୍ୟାଲି

 

ପାଇବୁ ଯେବେ ଉଭୟ ଲୋକେ ଶରମ ।

ଯେ ଯାହା କହୁ ଛାଡ଼ ନା କୁଳଧରମ ।ପଦ।

 

ମୁଁ ଧନୀ ମାନୀ ବିଦ୍ୱାନ, ନ କର ଅଭିମାନ,

ସ୍ୱଧର୍ମ୍ମେ ସ୍ୱରଗେ ଥାନ, ଗୀତା-ମରମ ।୧।

 

କରି ଜ୍ଞାନ ଉପାର୍ଜ୍ଜନ, ନିଜକାର୍ଯ୍ୟେ ଲଗାମନ,

ଭଳେ ମନ୍ଦେ କଦାଚନ, ନାହିଁ ସରମ ।୨।

 

 

ସ୍ୱଇଚ୍ଛାରେ ପରକୃତି, କରଇ ଯେ ଅନୁକୃତି,

ବିଶ୍ୱକର୍ମ୍ମା ତାର ପ୍ରତି, ହୁଏ ଗରମ ।୩।

 

ମୁଁ ବଡ଼ ବୋଲନା ଭାଇ, ଦେଖ ନୟନ ଫିଟାଇ,

ଈଶ ବିନା କେହି ନାହିଁ, ବିଶ୍ୱେ ପରମ ।୪।

———————

 

ରାଗ ‘ଆମାର ଗୌରାଙ୍ଗସୁନ୍ଦର ନାଚେ ରେ’ ବୃତ୍ତେ-ତାଳ ଏକତାଳି

 

(ମୋର) ମନଟାତ ବଡ଼ ଚଣ୍ଡ ରେ, କରେ ସବୁ କାମ ପଣ୍ଡ ।

ଯତେ ଯତ୍ନବଳେ ରଖିଲେ ନିଶ୍ଚଳେ ନ ରହଇ ଏକଦଣ୍ଡ ରେ ।ପଦ।

 

ବେଳେ ବେଳେ ସତ, ସରଣୀ ଛାଡ଼ି-

ଯାଏ ଉଦ୍ଦଣ୍ଡରେ ଅମଡ଼ା ମାଡ଼ି ।

କେବେ ଲାଗେ ଘନେ, ଈଶ୍ୱର ଚିନ୍ତନେ,

(କେବେ) ଘାଣ୍ଟିହୁଏ ମାରକାଣ୍ଡରେ ।୧।

 

କେବେ ଗଣେ ନାହିଁ ଆପଣା କି ପର,

କେତେବେଳେ ହୁଏ ପରଶ୍ରୀକାତର,

କେବେ ସାଧୁଗଣେ, ଦେବ ତୁଲ୍ୟ ମଣେ,

(କେବେ) ବିଶ୍ୱାସ କରଇ ଭଣ୍ଡରେ ।୨।

 

କେବେ ଖୋଜେ ଭବଛେଦି ବୈରାଗ୍ୟ,

କେତେବେଳେ ଲୋଡ଼େ ରାଜସୌଭାଗ୍ୟ,

କେବେ ନିଶଙ୍କରେ, ଶୁଏ ପଲଙ୍କରେ,

(କେବେ) ଧୂଳିରେ ଲୋଟଇ ଦାଣ୍ଡରେ ।୩।

 

କେବେ ଇଚ୍ଛେ କରିବାକୁ କୀରତି,

କେତେବେଳେ ହୁଏ ଦୁଷ୍କୃତରତି,

ହୃଦୟନନ୍ଦନେ, ବନ୍ଧୁତାବନ୍ଧନେ,

(କେବେ) କରିଦିଏ ଖଣ୍ଡ ଖଣ୍ଡ ରେ ।୪।

 

ପତିତପାବନ ଚାରୁଚରଣ,

ନ କରି ଏ ଯେବେ ଧ୍ରୁବଚରଣ,

ସତତ ପାଷାଣ୍ଡ, ବୁଲିଲା ବ୍ରହ୍ମାଣ୍ଡ,

(ତେବେ) ବଜ୍ର ପଡ଼ୁ ଏହା ମୁଣ୍ଡରେ ।୫।

———————

 

ରାଗ ଭୈରବୀ-ତାଳ ଝୁଲା

 

ଘୋଷ ରାସରସିକ ନାମ ରସନା ରେ ।

ଗତରସ ବିଷୟରସେ ରସ ନା ରେ ।ପଦ।

 

ନିରତ ଉଚ୍ଚସ୍ୱରେ, ଡାକ ବିଶ୍ୱ ଈଶ୍ୱରେ,

ଛାଡ଼ିଦେ ଏ ଛାର ଭୋଗ ବାସନା ରେ ।୧। (ମନ)

 

ହରି-କମଳପଦେ, ରଖ ହୃଦଷଟ୍‌ପଦେ,

ଜାଣି ତୁ ଭବଦାବରେ ପଶନା ରେ ।୨।

 

ସଂସାର ପାରାବାର, ପାରେ ସେ କର୍ଣ୍ଣଧାର,

ବୃଥା ଏ ଦୁର୍ଲ୍ଲଭ ଦେହ ନାଶ ନା ରେ ।୩।

 

ଶ୍ରୀରାମ-ଜନାର୍ଦ୍ଦନ, କର ସଦା କୀର୍ତ୍ତନ,

କୁସୁମବାଣର ଲକ୍ଷ୍ୟେ ଆସ ନା ରେ ।୪।

 

ଶିରେ ଧରି ଏ ସୁକ୍ତି, ପାଇବୁ ସୁଖେ ମୁକ୍ତି

ଆଉ ଅଳସପାଶରେ ବସନା ରେ ।୫।

———————

 

ରାଗ ବସନ୍ତ-ଏକତାଳି

 

ଛାଡ଼ ସବୁ ଅଭିମାନରେ, ମାନବ ।

ଯାହାର ମାନସେ, ଗରବ ବିକସେ,

କାଳମୋଡ଼େ ତାର କାନ ରେ ।ପଦ।

 

ପୁରାକାଳେ ଦିନେ ନହୁଷ ନୃପତି ପଦମର୍ଯ୍ୟାଦା ମଦରୁ ।

କରି ଅନୁଚିତ, ହୋଇଲେ ପତିତ, ତ୍ରିଦଶପତି ପଦରୁ ।୧।

 

ପବିତ୍ର ଚରିତ୍ର ହରିଶ୍ଚନ୍ଦ୍ର ରାଜା ନିଜ ସୁକୃତ ଗୁମାନେ ।

ଆକାଶେ ରହିଲେ, ସମର୍ଥ ନୋହିଲେ, ଅମରନଗରଯାନେ ।୨।

 

ଦାନ ଅହଙ୍କାରେ ବନ୍ଦି ହୋଇ ବଳି ପାତାଳେ ନେଲା ଶରଣ ।

ପ୍ରତାପ ଚାତରେ, ବାନର ହାତରେ, ଶାସ୍ତି ଲଭିଲା ରାବଣ ।୩।

 

ଜନତା ଦର୍ପରେ କରି ଦୁର୍ଯ୍ୟୋଧନ ପାଣ୍ଡବଙ୍କୁ ଉପହାସ ।

ଶତ ସହୋଦର, ସହିତ ଭୀମର, ଗଦାଘାତେ ଗଲେ ନାଶ ।୪।

———————

 

ରାଗ କାଫି-ଆଡ଼କାଳ

 

ଅନନ୍ତ ଏ ତ ତୁମ୍ଭରି କୃତ୍ୟ

ଅନନ୍ତ ସକଳ ଦେଖଇ ଭୃତ୍ୟ

।ପଦ।

ଅନନ୍ତ ନୀଳବର୍ଣ୍ଣ ବିଷ୍ଣୁପଦ

ଅନନ୍ତ ଭବ ଅନନ୍ତ ଶବଦ

।୧।

 

 

 

 

ଅନନ୍ତ ସାଗର ଅନନ୍ତ ଧର

ଅନନ୍ତ ନଦ ସରିତ ନିର୍ଝର

।୨।

ଅନନ୍ତ ପରାଣୀ ଅନନ୍ତ ତାରା

ଅନନ୍ତ ଜଳଦ ବରଷାଧାରା

।୩।

 

 

 

 

 

 

 

 

ଅନନ୍ତ କାନନ ଅନନ୍ତ ଦ୍ରୂମ

ଅନନ୍ତ ଫଳ ଅନନ୍ତ କୁସୁମ

।୪।

ଅନନ୍ତ କର୍ମ୍ମ ଅନନ୍ତ ଶକତି

ଅନନ୍ତ ହୃଦୟ ଅନନ୍ତ ଗତି

।୫।

ଅନନ୍ତ ବଚନ ଏତିକି କାମ

ଅନନ୍ତ ପଦେ ଏ ଲଭୁ ବିଶ୍ରାମ

।୬।

———————

 

ରାଗ ମହ୍ଲାର

 

ସେହି ଶ୍ରୀବତ୍ସ ଲକ୍ଷଣେ । ଚିନ୍ତ ଅନ୍ତରେ ଭ୍ରାନ୍ତ ଅନୁକ୍ଷଣେ ।ପଦ।

କାହିଁ ତୋ ପ୍ରଭୁ ପୁଛିଲା ତନୟେ,

ସ୍ତମ୍ଭେ ଅଛନ୍ତି ସେ କହନ୍ତେ ଭୟେ,

(ପଡ଼ି)      ଅଦ୍ଭୁତ ନରହରି, ରୂପରେ ଅବତରି,

ଗର୍ଜ୍ଜନେ ପୂରାଇଲେ ଚତୁର୍ଦ୍ଦଶ ନଗରୀ,

ହିରଣ୍ୟକଶିପୁର, ନଖେ ବିଦାରି ଉର,

ପ୍ରହ୍ଲାଦର ବିପଦ ଦେଲେ ଯେ ଦୂର କରି ।୧।

 

ରାବଣ ଅବମତ ବିଭୀଷଣ,

ଶ୍ରୀଚରଣରେ ପଶନ୍ତେ ଶରଣ,

(ପଡ଼ି)      ଯେ କରୁଣାସାରେ, ପଠାଇ ଅନୁଚର,

ନାନାତୀର୍ଥରୁ ବାରି ଅଣାଇଲେ ସତ୍ୱର

ଅଭିଷିକ୍ତ ପ୍ରମଦେ, କରି ଲଙ୍କେଶ ପଦେ,

ଭକ୍ତବତ୍ସଳ ପୁଣ ଦେଲେ ଅମରବର ।୨।

 

ଗ୍ରାହଗୃହୀତ ବାରଣ ବିକଳେ,

ଚିନ୍ତା କରନ୍ତେ ହୃଦୟକମଳେ,

(ପଡ଼ି)      ଯେ ପ୍ରଭୁ ଖରତର, ଆରୋହି ଖଗବର,

ମିଳି ତାର ନିକଟେ ପ୍ରହାରି ତୀକ୍ଷ୍ଣତର,

ଚକ୍ର ନକ୍ରପ୍ରଚଣ୍ଡ, ମୁଣ୍ଡ ଖଣ୍ଡ ବିଖଣ୍ଡ,

କରିଯୂଥନାଥର ହରଣ କଲେ ଦର ।୩।

 

କୁରୁ ସଭାରେ ଦୁଷ୍ଟ ଦୁଃଶାସନ,

ଫେଡ଼ନ୍ତେ ପାଞ୍ଚାଳୀ ଅଙ୍ଗୁ ବସନ,

(ପଡ଼ି)      ହୋଇ ଅନନ୍ୟଗତି, ଅତି ଆକୁଳେ ସତୀ,

ବୋଇଲେ ରକ୍ଷା ମୋତେ କର ହେ ଯଦୁପତି,

ଶୁଣି ସେ ବାଣୀ କାନେ, କୋଟି ପଟ ପ୍ରଦାନେ,

କ୍ଷଣମାତ୍ରେ ଯେ କଲେ ତାଙ୍କ ମନ୍ଦାକ୍ଷ ହତି ।୪।

 

ଅହଲ୍ୟାଙ୍କର ସତୀତ୍ୱରତନ,

ଛଳେ ହରିବାରୁ ପାକଶାସନ,

(ପଡ଼ି)      ଆପଣାକୃତ ପାପେ, ପତିଙ୍କ ଅଭିଶାପେ,

ଶିଳାରୂପେ ସେ କାଳ କାଟିଲେ ମନସ୍ତାପେ,

ଯାହାଙ୍କ ପାଦରଜ, ସ୍ପର୍ଶମାତ୍ର ସହଜ,

ମୂର୍ତ୍ତି ତାଙ୍କର ଫେରି ଆସିଲା ଆପେ ଆପେ ।୫।

 

ତୁ ନୋହୁ ରାଜ ଆସନ ଭାଜନ,

ଶୁଣି ବିମାତାର ଏହି ବଚନ,

(ପଡ଼ି)      ଧ୍ରୁବ ଅପମାନରେ, ପଶି ଘନବନରେ,

ଜପନ୍ତେ ବାସୁଦେବ ମନ୍ତ୍ରରାଜ ମନରେ,

ବୋଲଇ ଦାମୋଦର, ଯେ ହରି ଦେଇ ବର,

ପଞ୍ଚବର୍ଷୀୟ ବାଳେ ନେଲେ ଧ୍ରୁବସ୍ଥାନରେ ।୬।

———————

 

ରାଗ ଦେଶମଞ୍ଜରୀ-ଆଡ଼ତାଳ

 

ସତେ କି ମୋର ହେବ ସେ କାଳ ।

ଭାଙ୍ଗିଯିବ ଯହିଁ ଭବ-ଜଞ୍ଜାଳ । ପଦ ।

 

ଖୋଜିବି ସର୍ବଦା ମୁକ୍ତିର ପନ୍ଥା ।

ସମ୍ବଳ କେବଳ ହୋଇବ କନ୍ଥା ।୧।

 

ଭିକ୍ଷା-ଅନ୍ନରେ ପୂରିବ ଉଦର,

କେବେ ହେବ ନାହିଁ ତ୍ରିତାପେ ଦର ।୨।

 

ବାହ୍ୟଜ୍ଞାନ ଶୁନ୍ୟେ ଦାଣ୍ଡରେ ଯାଉଁ ।

ଖାଉଥିବ ଭିକ୍ଷା ତଣ୍ଡୁଳେ କାଉ । ୩ ।

 

ଦେଖି ଭୂତ ବୋଲି କେ ଦେବ ଗାଳି,

ପାଗଳ ବୋଲି କେ ମାରିବ ତାଳି । ୪ ।

 

ବାଳକବୃନ୍ଦେ ପକାଇବେ ଧୂଳି ।

କେରା ଛଡ଼ାଇ ନେଉଥିବେ ଝୁଲି । ୫ ।

 

ଦୟାକରି କେହି କହିବେ ଆହା ।

ସହିବି ସବୁ ନ ତେଜିବି ରାହା । ୬ ।

 

ନିଜ ପରଭାବ ହୋଇବ ଲୟ

ଦେଖିବି ସକଳ ଈଶ୍ୱରମୟ ।୭।

———————

 

ରାଗ ତୋଡ଼ିପରଜ-ଆଦିତାଳ

 

କାହାଲାଗି ପରାଧୀନ ରେ, ମାନସ ।

ବଇରାଗ ସୁଧା-ପାନ ଛାଡ଼ି ସୁଧା ପାପତାପେ କାଟୁ ଦିନ । ପଦ ।

ବସନ ତୋହର ହେଲେ ପ୍ରୟୋଜନ ଗଛରେ ଅଛି ବକଳ ।

ନିରତ କାନନ, କରୁଅଛି ଦାନ, ଖାଇବାକୁ ନାନା ଫଳ । ୧ ।

 

 

ଗିରିରୁ ନିର୍ଝର, ଝରେ ଝରଝର, କରିବାକୁ ସ୍ନାନପାନ ।

ବନେ ବନେ ଚାରୁ ଗନ୍ଧ ମନ୍ଦ ମନ୍ଦ ବହେ ଶୀତପବମାନ । ୨ ।

 

ବିବିଧ ବିହଗେ ମିଳି କରୁଚନ୍ତି ଅନବରତ କାକଳୀ ।

ତହିଁ ତାର ସ୍ୱରେ ବାଜେ ତାଳେ ତାଳେ କଳକୀଚକ ମୁରଲୀ ।

 

ଶୋଇବା ନିମନ୍ତେ ମୃଦୁ ତୃଣତୁଳି ପଡ଼ିଛି ପଡ଼ିଆ ଖଟେ ।

ବାହୁ-ତକିଆରେ ଶିର ଭାରା ଦେଲେ କିଛିହିଁ ବାଧା ନ ଘଟେ । ୪ ।

———————

 

ରାଗ ଭୈରବୀ-ତାଳ ଝୁଲା

 

ମା ଗୋ, ଦେବି ରସନେ ।

ତୋ ପ୍ରୀତିଜୀବିକା ଏକା ମମ ଜୀବନେ । ପଦ । ମା ।

 

ସଜାଇଛି ବହୁବାର, ତବ ଶ୍ରୀଅଙ୍ଗେ ଅପାର,

ବିବିଧ ଶ୍ରୁତିମଧୁର ଗୀତି ମଣ୍ଡନେ । ମା । ୧ ।

 

ନିତି ଦୁଧ ଦହି ଘୃତ, କନ୍ଦପଣା ପଞ୍ଚାମୃତ,

ଅରପିଛି କେତେ କହି ନୁହେ ବଚନେ । ମା । ୨ ।

 

 

ଦେଇଛି ଖୋଜି ଅତୁଳ, ନାନା ପକ୍ୱ ଫଳ ମୂଳ,

ମୋ ଭଳି ତୋ ଦାସ କିଏ ଅଛି ଭୁବନେ । ମା । ୩ ।

 

ଜୀବଯିବା ଅବସ ର, କହ ହରେରାମ ଥରେ,

ମୋ ପୁରବ ଉପକାର ରଖି ତୁ ମନେ । ମା । ୪ ।

———————

 

ରାଗ ଦେଶମଲ୍ଲାର-ତାଳ ଝମ୍ପା

 

ଆସିଛି ବରଷା ଋତୁ କେତେ ଗୁମାନେ ।

ଅମୂଳରୁ ମୁକୁଳିତ ନୀପବିମାନେ । ପଦ ।

 

ଶୋଭିତ କୁସୁମପୁଞ୍ଜେ            ମଧୁପ ମାଳତୀକୁଞ୍ଜେ,

ମଧୁକରୀ ସଙ୍ଗେ ମତ୍ତ ମଧୁର ପାନେ । ୧ ।

 

ହସେ ବିଧୁ ବିନୋଦିନୀ            ସରେ ସରେ କୁମୁଦିନୀ

ନାଚେ କେକୀ ଶିଖା ଟେକି ତାଣ୍ଡବ ତାନେ । ୨ ।

 

ଗୁରୁ ଗୋତ୍ର ଲଙ୍ଘି ନଦୀ            ଭଜିଲେ ମୁଦେ ଉଦଧି

ଅତି ସରସ ହୃଦୟା ବାଧା କି ମାନେ । ୩ ।

 

 

ଏ ସମୟେ ସାରା ଧରା            ହରି-ଭକ୍ତି ରସେ ଭରା

ହୋଇଯାଉ, ପ୍ରୟୋଜନ କି ଆଉ ଆନେ । ୪ ।

———————

 

ରାଗ ଆଶାବରୀ-ଆଠତାଳୀ

 

ଆଉ କି ମିଳେ ତାରେ, ସେ କାଳ ଯାଇଛି ଚାଲି ।

କହିବୁ ଅତୀତ କାହାଣୀ ମାନସେ ସହିବୁ ଯାତନା ଖାଲି । ପଦ ।

 

ଯେଉଁ ଦିନ ସଙ୍ଗୀ ବାଳକ ମେଳରେ ଖେଳୁଥିଲୁ ଲୁଚକାଳି ।

ଯେ ଦିନ ଜନନୀ କାଖ କରୁଥିଲେ ପଣତରେ ଝାଡ଼ି ବାଲି । ୧ ।

 

ଯେ ଦିନ ପ୍ରଭାତେ ଖଡ଼ୀ ଧରି ହାତେ ଯାଉଥିଲୁ ଚାଟଶାଳୀ ।

ଯେ ଦିନ ସମସ୍ତ ବର୍ଣ୍ଣରୁ ପ୍ରଶସ୍ତ ମନେ କରୁଥିଲୁ ନାଲି । ୨ ।

 

ଯେଉଁ ଦିନ ଅନାୟାସେ ଦେଉଥିଲୁ ତୁ ବଡ଼ ପଥର ଟାଳି ।

ଯେଉଁ ଦିନ ଲୁଚି ଗୁରୁ ଅଗୋଚରେ ମେଲ ଦେଉଥିଲୁ ପାଲି । ୩ ।

 

ଯେଉଁ ଦିନ ଅତି ବୃଦ୍ଧଙ୍କୁ ଦେଖିଲେ ହସି ମାରୁଥିଲୁ ତାଳି ।

ଯେଉଁ ଦିନ ଭାବୁ ନ ଥିଲୁ ଏ ଦଶା ହୋଇବ ମୋହର କାଲି । ୪ ।

 

 

ଏବେ ଶ୍ରୀଗୋବିନ୍ଦ-ପଦାରବିନ୍ଦରେ ମନ-ପ୍ରାଣ ଦିଅ ଢାଳି ।

ଛାଡ଼ିବ କି କାଳ ବିଷମ ବିଷୟ-ଶୟନେ ପଡ଼ିଲେ ଘାଲି ।୫।

———————

 

ରାଗ ଦେଶମଞ୍ଜରୀ-ଆଡ଼ତାଳ

 

ଧାଇଁଛି ଦେଖ କାଳ-ରଥ ରେ ।

ଅବିଶ୍ରାନ୍ତଭାବେ ଭବ-ପଥରେ । ପଦ ।

 

ସାରଥି ତହିଁରେ ଚନ୍ଦ୍ର-ଭାସ୍କର ।

କଳାକାଷ୍ଠାଦି ବର୍ଣ୍ଣରେ ସୁନ୍ଦର । ୧ ।

 

ଗଡ଼ି ଯାଉଛି ଦିନରାତି-ଚକ ।

ଟାଣନ୍ତି ଚବିଶ ପକ୍ଷ-ଘୋଟକ । ୨ ।

 

ଲାଗିଛି ଦୁଇ ଅୟନ ଦଉଡ଼ି ।

ତହିଁ ବାରମାସ ପତାକା ଉଡ଼ି । ୩ ।

 

ବରଷ ଘାଟି ହୋଇଗଲେ ପାର ।

ପୁଣି ନବୋଦ୍ୟମେ ହୁଏ ବାହାର । ୪ ।

 

 

ଯାହାର ଆଦେଶ ଏ ରଥେ ଅଖ ।

ଶାନ୍ତି ଲଭିବୁ ତାରେ ଚିତ୍ତ ରଖ । ୫ ।

———————

 

ରାଗ ସାହାନା-ତାଳ ଏକତାଳି

 

ଆଶୁ କରୁଣା-ବରୁଣାଳୟେ ପ୍ରେମ-ତଟିନୀ ବହି ଯା ।

ବିଷୟ ନିଚୟ ବିଷମ ସେତୁ ଭେଦ ପ୍ରବାହେ ବିହି ଯା । ପଦ ।

 

କାମ କ୍ରୋଧ ଲୋଭ ମୋହ ସଂପଦ, ଷଡ଼ରିପୁପଥେ ପଦକୁ ପଦ,

ଘଟାଇବେ ନାନାବିଧ ବିପଦ, ତାହା ନୀରବେ ସହି ଯା । ୧ ।

 

ଆବାଳ କାଳର ସହଚାରିଣୀ, ଦୁରାଶା ସାରଣୀ ମନୋହାରିଣୀ,

ନ ହେଲେ ତୋ ବାଟ ଅନୁସାରଣୀ, ଫେରିବି ନାହିଁ କହି ଯା । ୨ ।

 

ବିଲୋକି ତବ ଏ ପରମ ଗତି, ଆନନ୍ଦିତ ହେଉ ସାଧୁଙ୍କ ମତି,

ଦରଶାଇ ଆଦରଶ ପ୍ରକୃତି, ବିଶ୍ୱବାସିରେ ମୋହ ଯା । ୩ ।

 

ସେହି ଏକା ଶାନ୍ତି ସୁଖ ନିଦାନ, ନାହିଁ ତହିଁ ପର ଆପଣା ଜ୍ଞାନ,

ଅଚଳଭକତିରୟେ ସେ ଥାନ, ପାଇ କଳପେ ରହି ଯା । ୪ ।

———————

 

ରାଗ ବେଲାବଳୀ-ତାଳ ଝୁଲା

 

ପାରି କରିବେ ସେ, ବାରିଦାଭ ଭବବାରି ।

ତାଙ୍କରି ଅରୁଣ ଚରଣେ ଶରଣ ନିଅ ତୁ ଆଶାକୁ ବାରି । ପଦ ।

 

ଭକ୍ତିପରାଧୀନ ଅଟନ୍ତି ଯେ ହରି ନୁହନ୍ତି ବଶ ରୂପରେ ।

କି ଶୋଭା ବିଲୋକି ମଥୁରାରେ କଲେ ଶରଧା କୁବ୍‌ଜା ଉପରେ । ୧ ।

 

ଭକ୍ତିପରାଧୀନ ଅଟନ୍ତି ଯେ ହରି ନୁହନ୍ତି ବଶ ବୟସେ ।

ଦେବତା ଅଗମ୍ୟ ଧ୍ରୁବସ୍ଥାନ ଦେଲେ ଧ୍ରୁବେ ପଞ୍ଚମ ବରଷେ । ୨ ।

 

ଭକ୍ତିପରାଧୀନ ଅଟନ୍ତି ଯେ ହରି ନୁହନ୍ତି ବଶ ଜାତିରେ ।

ଶାକାନ୍ନ ଆହାର କଲେ ଦାସୀପୁତ୍ର ବିଦୁର ଘରେ ପ୍ରୀତିରେ । ୩ ।

 

ଭକ୍ତିପରାଧୀନ ଅଟନ୍ତି ଯେ ହରି ନୁହନ୍ତି ବଶ ଦ୍ରବିଣେ ।

ଶ୍ରୀଦାମାଦରିଦ୍ରେ ଦେଲେ ଯେ ସମ୍ପଦ କୁବେରଶିରୀ ସେ ଜିଣେ । ୪ ।

 

ଭକ୍ତିପରାଧୀନ ଅଟନ୍ତି ଯେ ହରି ନୁହନ୍ତି ବଶ ଜ୍ଞାନରେ ।

ତାର ନିଦର୍ଶନ ଦେଖାଇଅଛନ୍ତି ଗଜେ ଅଭୟ ଦାନରେ । ୫ ।

———————

 

 

ରାଗ ମୁଖାରୀ-ତାଳ ଝୁଲା

 

ହୋଇବ କି ଦେଖା ନୋହିବ ହେ । ପଦ ।

 

କେତେ ଦୂରେ ଭବନ, ତବ ବିଶ୍ୱପାବନ,

ଅବିଶ୍ରାମ ଧାବନ, କଲା ଶାନ୍ତି ଲବନ । ୧ ।

 

ଦେଖି ରସା ନୀରସା, କଲି ତୁମ୍ଭ ଭରସା,

ଲଭିବାକୁ ସରସା, କୃପାସୁଧା-ବରଷା । ୨ ।

 

ଶୁଣି ଦୟା ପୁରାଣେ, ଆଶା ହେଲା ପରାଣେ,

କି ଲାଭ ‘ମୋରରାଣେ’ କହ ମଲେ ହୈରାଣେ । ୩ ।

 

ପାପତିମିର ଚିର, ବୋଲି ପିନ୍ଧିଲି ଚୀର,

ନ ଦେଖିଲି ତ ଚିର, କାଳେ ରୂପ ରୁଚିର । ୪ ।

———————

 

ରାଗ ମାରୁଆ-ଆଡ଼ତାଳି

 

ବିଶ୍ୱ ଅମୀନ କରିଦିଅ ନିଜ ସାମିଲି ।

କେତେ କରିବି ଯମ ହୁକୁମକୁ ତାମିଲି । ପଦ ।

 

ଏ ଜମିର ଖଜଣା, ତୁମ୍ଭର ଅଛି ଜଣା,

ନ ବୁଝି ହୋଇ ବଣା, ବହୁ ଦେଶେ ଭ୍ରମିଲି । ୧ ।

 

ଯେତେ ଆଦାୟ ନେଲା, ସେତିକି ବାକୀ ହେଲା

ବିଶୋଧନ ନ ଦେଲା, ଅନେକ ପ୍ରଣମିଲି । ୨ ।

 

ତାହାର ଚପରାଶି, ଦଣ୍ଡକୁ ଦଣ୍ଡ ଆସି,

ରୋଜ ନେଇ ଯା ଭାଷି, ଯାଏ ତେଣୁ ଦମିଲି । ୩ ।

 

ଭକ୍ତିକୁ ପାଦତଳେ, ଲାଞ୍ଛ ଦେଉଛି ବଳେ,

ହେବି ନିଶ୍ଚିନ୍ତ ଗଲେ ତୁମ୍ଭ ସହିତ ମିଳି । ୪ ।

———————

 

ରାଗ ପୁରବୀ-ତାଳ ଝୁଲା

 

ହରି-ଭକ୍ତିରେ ମୁଁ ମତ୍ତ ରହିବି ।

ଶୟନେ ସ୍ୱପନେ ହୃଦୟବେଦନା ଗୋପନେ ହରିଙ୍କି କହିବି । ପଦ ।

 

ହରିଙ୍କୁ ହୃଦୟେ କରି ସ୍ମରଣ,            ମାଗିବି ଅଭୟ ପଦେ ଶରଣ ।

ହରିଙ୍କ ନିର୍ମ୍ମାଲ୍ୟ ତୁଳସୀ ଆଦେଶ ସତତ ମସ୍ତକେ ଦହିବି ।୧।

 

 

ବିଷୟ ସକଳ ଦୂରରେ ଏଡ଼ି            ଫିଟାଇବି ହରିକୀର୍ତ୍ତନ ପେଡ଼ୀ

ହରିଙ୍କ ମଧୁର ନାମ ଅନଳରେ ପାପତାପ ତୃଣ ଦହିବି ।୨।

 

ବୃନ୍ଦାବନରଜ ଅଙ୍ଗରେ ବୋଳି            ନାଚିବି ଉଚ୍ଚେ ହରି ହରି ବୋଲି

ଏଥିପାଇଁ ମୋତେ ଯେଯାହା କହନ୍ତୁ ତାହା ମୁଁ ନୀରବେ ସହିବି । ୩ ।

 

ହରିପ୍ରେମେ ପୂର୍ଣ୍ଣ କରି ଅନ୍ତରେ      ଦିବସ ରାତି ଶରଧାମନ୍ତରେ,

ଷଡ଼ଦଶଉପଚାରେ ପୂଜା କରି ହରିଙ୍କ ମାନସ ମୋହିବି । ୪ ।

 

ଘୋର ରୋଗ ଶୋକ ବିପଦ ଚୟ, ଦିନେ ଦିନେ ଦରଶାଇବେ ଭୟ,

ହରି ଭଜନରେ ଯେତେ ବାଧା ଘଟୁ ତହିଁ ବିଚଳିତ ନୋହିବି । ୫ ।

———————

 

ରାଗ ଜଙ୍ଗଲା-ଆଦିତାଳ

 

ଦୀନବନ୍ଧୁ ମୋ ଦିନ ଗଲା ପରସେବାରେ ।

କର୍ଣ୍ଣ ପୂର୍ଣ୍ଣ ହେଲା ନିତି ପର ‘ବେ’ ‘ବା’ ରେ । ପଦ ।

 

ଖଟିଲି ମୁଁ ପରପାଶେ, ସତତ ବିଷୟ ଆଶେ,

ବେଳ ନ ପାଇଲି ତୁମ୍ଭ ଶ୍ରୀନାମ ନେବାରେ । ୧ ।

 

 

ପର ଆଦେଶ ରକ୍ଷଣେ, ରତ ହେଲି ଅନୁକ୍ଷଣେ,

ପୂଜା କରି ନ ପାରିଲି ମୁଁ ଦେବ-ଦେବାରେ । ୨ ।

 

ପରଗୃହରେ ପାଳିତ, ପରର ସମସ୍ତ ବିତ୍ତ,

ଏଣୁ ମୁଁ ଅକ୍ଷମ ଦୀନେ କଡ଼ାଏ ଦେବାରେ । ୩ ।

 

ଏ ଅଧମ କର୍ମ୍ମ ଦୋଷେ, ପତିତ ବିପଦ-ରୋଷେ,

ରମାପ୍ରାଣନାଥ କ୍ଷମା ଦିଅନ୍ତୁ ଏ ବାରେ । ୪ ।

———————

 

ରାଗ ଖମ୍ବାଜ-ତାଳ ଝୁଲା

 

ବାଟକାସାର । ତୁ ଏକା ସାଧୁରେ ସାର ରେ । ପଦ ।

କହ କିଏ ତୋର ସରି, ନିତ୍ୟ ଜୀବନ ବିତରି,

କରେ ପର ଉପକାର ରେ । ୧ ।

 

ଯେ ଲଭେ ତୋହର ସଙ୍ଗ, ବିମଳ ହୁଏ ତା ଅଙ୍ଗ,

କରୁ ମଳ ଅପହାର ରେ । ୨ ।

 

ତ୍ୟାଗ କରି ସଦା ସ୍ୱାର୍ଥ, କୋଳେ ଧରୁ ଜୀବସାର୍ଥ,

ତୁହି ଭବେ ମହୋଦାର ରେ । ୩ ।

 

ତୋ ସମ ଶୀତପରଶ, ନିର୍ମ୍ମଳ ପୁଣ ସରସ,

ହୃଦ ଅଛି କି କାହାର ରେ । ୪ ।

 

ତୋତେ ମଧୁର ପ୍ରକୃତି, ଶିକ୍ଷା ଦେଲା କେଉଁ କୃତୀ,

ଏହି ଦିବ୍ୟ ବ୍ୟବହାର ରେ । ୫ ।

 

ଯେ ତୋତେ କରିବ ଗୁରୁ, ସେ ମହୀରେ ହେବ ଗୁରୁ,

ଘେନ ନତି ଉପହାର ରେ । ୬ ।

———————

 

ରାଗ ଝିଞ୍ଜିଟ-ଏକାତାଳି

 

ଭାଇ ଦୀନତା, ମରଣରୁ ନୁହେଁ ଭଲ ରେ । ପଦ ।

ଯାତନା ଥରେ ନିଧନେ, କିନ୍ତୁ ହୁଅଇ ନିର୍ଦ୍ଧନେ,

(ଭାଇ) ଆଜୀବନ କଲବଲ ରେ । ୧ ।

 

ଅନ୍ୟ ଲୋକ ଚୋରିକରେ, ଶଙ୍କା ଦରିଦ୍ର ଉପରେ,

(ଭାଇ) ହୁଏ ସେ ଜଗତ ଶଲ ରେ । ୨ ।

 

ଦିଅଇ ଗାଳି ଯେ ଯାହା, ମଉନରେ ଶୁଣି ତାହା,

(ଭାଇ) ଚାହିଁ ରହେ ଫଲଫଲ ରେ । ୩ ।

 

ଲାଜ ତେଜ ବୁଦ୍ଧି ନାଶ, ଘଟେ ପ୍ରାୟ ଉପବାସ,

(ଭାଇ) ହୁଅନ୍ତି ସନ୍ତତି ପଲ ରେ । ୪ ।

 

ଭାବେ ପୂର୍ବେ ଦେଇ ନାହିଁ, କି ହେବ ଅନ୍ୟର ଚାହିଁ,

(ଭାଇ) ଏବେ ହେଲେ ହଲପଲ ରେ । ୫ ।

 

ଦରିଦ୍ର କାତର ମନେ, ଡାକେ ଶ୍ରୀମଧୁସୁଦନେ,

(ଭାଇ) ଏତିକି ତହିଁ ଅସଲରେ । ୬ ।

———————

 

ରାଗ ତୋଡ଼ିଫରଜ-ଆଦିତାଳ

 

ହୋଇଲେ ଗଢ଼ା ପଥରେ ଗୋ, ଜନନି ।

ତରଳିବ ଥରେ ତୁମ୍ଭ ସ୍ନେହସୁଧା ପଡ଼ିଲେ ସ୍ମୃତିପଥରେ । ପଦ ।

 

ଏ ଅଧମସୁତ ମଙ୍ଗଳ ମନାସି କରି ନାହଁ କେତେ ବ୍ରତ ।

ଏହାର ଶରୀର ପୀଡ଼ା ସମୟରେ ରହୁଥିଲ ମା ଜାଗ୍ରତ । ୧ ।

 

ବିଦେଶକୁ ଗଲେ ଶୁଭେ ଫେରିବାକୁ ଭୋଗ ଯାଚୁଥାଅ ଦେବେ ।

ଦୈବଜ୍ଞ ଡକାଇ ପ୍ରଶ୍ନ କର ନିତି ମୋ ପୁଅ ଆସିବ କେବେ । ୨ ।

 

 

କଉଁଣସି ଦିନ କିଛି ଭଲ ଦ୍ରବ୍ୟ ପାଇଲେ ତାହା ନ ଖାଇ ।

ଲୁଚାଇ ତାହାକୁ କେତେ ଯତନରେ ରଖୁଥିଲ ଏହା ପାଇଁ । ୩ ।

 

ଏହି ଅକୃତଜ୍ଞେ କୋଳେ ଧରି ଦେଇଅଛ ଯେ ସଦୁପଦେଶ ।

ସମାଲୋଚନାରେ ନ ଦେଖେ ତହିଁରେ ତୁମ୍ଭର ତ ସ୍ୱାର୍ଥ ଲେଶ । ୪ ।

 

ଏ ମନ୍ଦ ନନ୍ଦନେ କେତେ ଆଶୀର୍ବାଦ ନ କର ଦିନଯାମିନୀ ।

ହେଉଥିଲ ଏହା ଦୁଃଖରେ ଦୁଃଖିନୀ ସୁଖରେ ତୁମ୍ଭେ ସୁଖିନୀ । ୫ ।

 

ବୋଲୁଥିଲ ଦୂରେ ନ ଯିବୁରେ କେବେ ତୁ ମୋର ନୟନତାରା ।

କିପରି ଏକାକୀ ସ୍ୱରଗକୁ ଗଲ କାଟି ସେହି ସ୍ନେହ-ଧାରା । ୬ ।

 

ପଚାରିବ କିଏ ଶୁଖି ଯାଇଚି ରେ ତୋ ମୁହଁ ଆଜି କାହିଁକି ।

ଆଜୀବନ ଏହା ଭାବି ଏ ଦାସର ଛାତି ଫାଟିବ ନାହିଁକି । ୭ ।

———————

 

ରାଗ ଏରକାର କାମୋଦୀ-ଏକତାଳି

 

କ୍ଷମାକର ଅପରାଧ ଗିରିକୁମାରି ।

ଏ ପାମର ନୁହେ ତବ ଭକ୍ତେ ସୁମାରି । ପଦ ।

 

 

ମନ୍ତ୍ର ଯନ୍ତ୍ର ତେଜି ହେଲା ସ୍ୱତନ୍ତ୍ରଚାରୀ, (ଜନନି)

ଏ ଦଶା ଆସିବ ଦିନେ ସ୍ୱପନେ ନାହିଁ ବିଚାରି । ୧ ।

 

ବିପଦ ପଦ ପଦକେ ଦେଉଚି ସାରି, (ଜନନି)

କିଏ ରଖିବ ତୋ ବିନା ଅଭୟ କର ପ୍ରସାରି । ୨ ।

 

ପକାଇବ ଅଳ୍ପକାଳେ ଜୀବନେ ମାରି, (ଜନନି)

କରୁଣା ନ କଲେ ଦୀନେ ଦୁରନ୍ତ ଚିନ୍ତା ବେମାରି । ୩ ।

 

ଝଟ କଷ୍ଟ ଲଟ କାଟ ଫିଙ୍ଗି କଟାରୀ, (ଜନନୀ)

ସୁଶାନ୍ତି ତଟିନୀ ତଟ ନିକଟେ ନିଅ ଓଟାରି । ୪ ।

———————

 

ରାଗ ଆଷାଢ଼ଶୁକ୍ଳ-

 

ଏଣୁ ମୁଁ ଶରଣ, ଗଲି ରକ୍ଷାକର ରମାରମଣ । ପଦ ।

ପ୍ରବଳ ରୋଗ ସମୂହରେ ତନୁ, ଦିନୁ ଦିନୁ ମୋର ହେଉଚି ତନୁ ।

ଚଢ଼ନ୍ତି କାମାଦି ଅରାତିକୁଳ, ଅବିରତ ଚିତ୍ତ ହୁଏ ଆକୁଳ । ୧ ।

 

ବୁଦ୍ଧି ବିଷମ ବିଷୟରେ ରମେ, ଶତ ବାଧାରେ ତହୁଁ ନ ବିରମେ ।

ଆମ ଘଟରୁ ସଲିଳ ପରାୟେ, ପ୍ରତ୍ୟହ ଆୟ କ୍ଷୟ ହୋଇଯାଏ । ୨ ।

 

ଅତି ଚପଳା ଚପଳା ସମାନ, ଯୌବନଲକ୍ଷ୍ମୀ ଗଲା ଅନ୍ତର୍ଦ୍ଧାନ,

ସର୍ବାଙ୍ଗେ ଗାଢ଼େ ଭିଡ଼ିଅଛି ଜରା, ହୋଇଛି ପରାଣ ଦୁଃଖପସରା । ୩ ।

 

କରମ ଦୋଷରୁ ତେଜିଲି ନୟ, ଆୟରୁ ଅଧିକ ବଢ଼ିଲା ବ୍ୟୟ ।

ଦୁରନ୍ତ କୃତାନ୍ତ ବସି ଗୋପନେ, ଲାଗିଛି ମୋର ବୟସ ଗଣନେ । ୪ ।

 

କାୟକ ବାଚିକ କିବା ମାନସ, ତପ କରି ନାହିଁ ହୋଇ ଅଳସ ।

ଆପଣା ହାତେ ଢମ ଯବନିକା, ଉଠାଉଛି ମିଥ୍ୟା କରି ଜୀବିକା । ୫ ।

 

ଦିନେ ମୋହର ଏ ପୋଡ଼ା ଲୋକନ, କରି ନାହିଁ ତବ ମୂର୍ତ୍ତି ଲୋକନ ।

ଉଚ୍ଚାରି ନାହିଁ ତୁମ୍ଭ ନାମ ତୁଣ୍ଡ, ତବ ଉଦ୍ଦେଶେ ନମି ନାହିଁ ମୁଣ୍ଡ । ୬ ।

 

ରସନା ହୋଇ ରସ ପରତନ୍ତ୍ର, ଦିନେ ଜପି ନାହିଁ ତୁମ୍ଭର ମନ୍ତ୍ର ।

କରି ନାହିଁ କର ତବ ଅର୍ଚ୍ଚନ, ଚରଣ ପୁଣ ତୀର୍ଥକୁ ଗମନ । ୭ ।

 

ଯଜ୍ଞ ଦାନ ଦୟା ବିବେକ ଆଦି, ଜ୍ଞାନ ସାଧନ ନାହିଁ ମୁଁ ସମ୍ପାଦି ।

ନାହିଁ ଭକ୍ତି ହେତୁ ସାଧୁସଙ୍ଗତି, ଆତ୍ମ ବୋଧ କାହୁଁ ହେବ ଉତ୍ପତ୍ତି । ୮ ।

 

ମନ୍ଦିର ଧନ କୁଟୁମ୍ବ ସକଳ, ନଶ୍ୱର ଏଥିରେ ହେବ କି ଫଳ ।

ଇନ୍ଦ୍ରିୟେ ନୁହନ୍ତି ଅନ୍ତରମୁଖ, ମିଳିବ କାହୁଁ ଚିର ଶାନ୍ତି ସୁଖ । ୯ ।

 

 

ଆଚରି ନାହିଁ ମୁଁ ପରୋପକାର, କି ଅବା ବେଦବିହିତ ଆଚାର,

ଭଣି ଦାମୋଦର ହେ ବିଶ୍ୱପତି, ତୁମ୍ଭ ବିନା ନାହିଁ ଅପର ଗତି । ୧୦ ।

———————

 

ରାଗ କାଫି-ଆଦିତାଳ

 

ପୂଜା କରିବି କିରୂପେ, ଉପଚାର ଉପଯୁକ୍ତ ନୁହେ ବିଶ୍ୱରୂପେ । ପଦ ।

ପୂର୍ଣ୍ଣମୂର୍ତ୍ତିଙ୍କର କାହିଁ ଦେବ ଆବାହନ ।

ସର୍ବାଧାରଙ୍କର କିଏ ଉଚିତ ଆସନ । ୧ ।

 

ସ୍ୱଚ୍ଛର ପାଦ୍ୟେ ବା ଅର୍ଘ୍ୟେ କିସ ପ୍ରୟୋଜନ ।

ବିଶୁଦ୍ଧର ନୁହେ ଆବଶ୍ୟକ ଆଚମନ । ୨ ।

 

ବିମଳର ସ୍ନାନ ବିଶ୍ୱୋଦରଙ୍କର ବାସ ।

ନିରାଲମ୍ବେ ଉପବୀତ ଦାନ ପରିହାସ । ୩ ।

 

ନିର୍ବାସନର କୁସୁମେ ଗନ୍ଧେ ନିର୍ଲ୍ଲେପର ।

ଦରକାର ନୁହେ ଆଭରଣ ମନୋଜ୍ଞର । ୪ ।

 

ନୈବେଦ୍ୟ ତାମ୍ବୂଳର କି ନିତ୍ୟ ତୃପ୍ତ ପାତ୍ର ।

ଅନନ୍ତର ପ୍ରଦକ୍ଷିଣ ବିଡ଼ମ୍ବନା ମାତ୍ର । ୫ ।

 

ଅଦ୍ୱିତୀୟେ ନତି ବେଦ ଅବେଦ୍ୟେ ସ୍ତବନ ।

ସ୍ୱୟଂପ୍ରକାଶେ ଯୁକ୍ତ କି ହୁଏ ନୀରାଜନ । ୬ ।

 

ଅନ୍ତର ବାହାରେ ପୂର୍ଣ୍ଣ ଯେଉଁ ସନାତନ ।

ହୋଇ ନ ପାରେ ତାଙ୍କର କେବେ ଉଦ୍‌ବାସନ । ୭ ।

 

କେବଳ ତାଙ୍କ ତରୁଣ-ଅରୁଣ-ଚରଣ ।

କରିବି ଦିବା ରଜନୀ ଅକ୍ଷୟ ଶରଣ । ୮ ।

———————

 

ରାଗ ମାରୁଆ-ଏକତାଳି

 

କେହି କି ରହିବ ମହୀରେ ।

ଅହରହ ହୁଏ ଜୀବ ଏହା ବିରହୀ ରେ । ପଦ ।

 

ହେଲେ କର୍ମ୍ମଭାର ସହି, ବାହାରି ଯାଏ ନ ସହି,

କରାଇ ନେଇଛି ବିହି ବିହିତ ସହୀ ରେ । ୧ ।

 

ଯେ ଅଟେ ତ୍ରିଲୋକ ସ୍ୱାମୀ, ବିଶ୍ୱମ୍ବର ଅନ୍ତର୍ଯ୍ୟାମୀ,

ମହାଯାତ୍ରା କରେ ସେହି ହୋଇଲେ ଦେହୀ ରେ । ୨ ।

 

 

ଦୁଃସହ ମୋହ ଆବର୍ତ୍ତେ, ପଡ଼ି କ୍ଷଣ ପରିବର୍ତ୍ତେ,

ନିରତ ଆୟୁପ୍ରବାହ ଯାଉଛି ବହି ରେ । ୩ ।

 

ଗତାଗତ ବ୍ୟବହାର, କୃତ୍ୟ କେବଳ ଏହାର,

ହୃଦୟରେ ନ ରଖିଲେ କି ହେବ କହି ରେ । ୪ ।

 

ଭବତମ-ପରାଭବ, ଇଚ୍ଛାଥିଲେ ଭାବ ଜବ,

ଭବ ଅସୀମମହିମ ହିମାଂଶୁ ମିହିରେ । ୫ ।

———————

 

ରାଗ ଶଙ୍କରାଭରଣ-ଆଠତାଳି

 

(ମନ) ତଥାପି ତୃଷା କୃଶା ନୋହିଲା ରେ ।

(ଆଜି) ମୃଷାରେ ବୃକ୍ଷାପଦେ ଚାହିଁଲା ରେ । ପଦ ।

 

ଭବ ପଥିକକାରା, ପାପତାପପସରା,

ଦାରାଠାରୁ ଏ ଦୂରେ ରହିଲା ରେ ।

ମୁକ୍ତି କଣ୍ଟକ ମିତ୍ର, ତେଜି ଅତି ପବିତ୍ର,

ବନେ ପତ୍ରକୁଟୀର ବିହିଲା ରେ । ୧ ।

 

ଛାର ସଂସାର ସୁଖ, ପ୍ରତି ହୋଇ ବିମୁଖ,

ଶୀତ ଗ୍ରୀଷମ ଦୁଃଖ ସହିଲା ରେ ।

ଛାଡ଼ି ସବୁ ସମ୍ବଳ, ପିନ୍ଧିଲା ବଳକଳ,

ଜଟାଜୂଟ ମୁଣ୍ଡରେ ବହିଲା ରେ । ୨ ।

 

ଦଣ୍ଡଧର ଯାତନା, ଭୟେ ଭୋଗବାସନା,

ନିରାଶା-ହୁତାଶନେ ଦହିଲା ରେ ।

ବେଦାନ୍ତ ଅଧ୍ୟୟନେ, ଲଭି ଦିବ୍ୟ ନୟନେ,

ଜଗତ ମିଥ୍ୟା ବୋଲି କହିଲା ରେ । ୩ ।

 

ସଙ୍ଗିହୀନ ବିହାରେ, ଫଳମୂଳ ଆହାରେ,

ଯତିରେ ନିଜନାମ ନିହିଲା ରେ ।

ନାନା ଯୋଗ ସାଧନେ, ଖିଳବିଶ୍ୱ ଜୀବନେ,

ଅନତି ବିଳମ୍ବରେ ମୋହିଲା ରେ । ୪ ।

———————

 

ରାଗ ‘ସେତ ଦେଇଛି ଜୀବନ ବିକି’ ବୃତ୍ତେ-ତାଳ ଏକତାଳି

 

ଏହି କଥାରେ ତ୍ରିଲୋକରାଜ

ମାଡ଼ୁନାହିଁ କି ଟିକିଏ ଲାଜ । ପଦ ।

 

ଅନ୍ନପୂର୍ଣ୍ଣା ରତ୍ନାକର ସୁତା, ତବ ଚରଣେ ସେବକୀଭୂତା,

ଦାସ ବିଖ୍ୟାତ ଦରିଦ୍ର ଆଜ । ୧ ।

 

ଶୁଭଯୋଗରେ ପାଇ ବିଭୂତି, ଲୋଡ଼ୁ ନାହିଁ ସେ ଶତ୍ରବିଭୂତି,

ଦେଖାଦେବାରେ କିପାଁ ନାରାଜ । ୨ ।

 

ତେଣେ ଦର୍ଶନ ଥାଉ ସ୍ମରଣେ, ନାନା କୁଚିନ୍ତା ଅନ୍ତଃକରଣେ,

ଦେଇ ସେବକେ କରୁଚ ବ୍ୟାଜ । ୩ ।

 

ଦୂରେ ଯାଉ ଶ୍ରୀଚରଣଭକ୍ତି, ତୀର୍ଥଯାନେ ବି ନ ଦିଅ ଶକ୍ତି,

କରେ ଧରି ଧରମ-ତରାଜ । ୪ ।

———————

 

ରାଗ ‘ବ୍ରଜବିଳାପ ବାଣୀ’ ବୃତ୍ତେ

 

ମାନବ, ତୋର କି ହେବ ଦାୟ,

ଜଗତରୁ ଦିନେ ନେବୁ ବିଦାୟ । ପଦ ।

ପ୍ରିୟତମ ବନ୍ଧୁ ଅଟେ ସୋଦର, ତାକୁ ତେଜି କରୁ ପରେ ଆଦର । ୧ ।

 

କେହି ଚିରଦିନ ନ ରହେ ଭବେ, ଏକଥା ତୋମନେ ନ ଆସେ ଲବେ । ୨ ।

ଧନଲୋଭେ କାଟି ଭାଇର ଗଳା, ପୋଷୁଅଛୁ ନିତି ମଉଳା ଶଳା । ୩ ।

 

ଯେଉଁ ଧନଲାଗି ଅରଜୁ ପାପ, ତହୁଁ କେତେ ସଙ୍ଗେ ନେଲା ତୋ ବାପ । ୪ ।

ଦେଖୁଁ ଦେଖୁଁ କିପାଁ ହେଉଚୁ ବଣା, କିଛି ଦିନେ ସବୁ ପଡ଼ିବ ଜଣା । ୫ ।

 

ରମଣୀ କଥାରେ ଭାଇକି ତେଜୁ, କେ ପର କେନିଜ ମନେ ନ ହେଜୁ । ୬ ।

ଯେବେ ତୋର ଅଛି ଶୁଭକାମନା, ତେବେ ଛାଡ଼ ହିଂସା ଘେନି ମୋମନା । ୭ ।

କେବଳ ସଙ୍ଗୀ ହୋଇବ ଧରମ, ତାର ଅରଜନେ କର ଶରମ । ୮ ।

———————

 

ରାଗ ନାଟକୁରଙ୍ଗୀ-

 

ନିଅ ଜବ ଦାସେ ତବ ପାଶେ ଭବପାବନ ହେ ।

ନାହିଁ ବେଳ ଭଲ ମନ୍ଦ କରିବାରେ ଭାବନ ହେ । ପଦ ।

 

ବନ୍ଧୁର ସଂସାର ପଥେ କରି ନିତ୍ୟ ଧାବନ ହେ ।

କରିଚି ବିଷୟବିଷ ସୁଧା ମଣି ସେବନ ହେ । ୧ ।

 

ଆଚରିଚି କୁକରମ ପାପ ଏହା ପବନ ହେ ।

ଦେଖା ନ ଯାଏ ଏହାର ନରକେ ବି ଭବନ ହେ । ୨ ।

 

କାଳ ତା ଆଶାଲତାର କରିବାରୁ ଲବନ ହେ ।

ସରିଲାଣି ସବୁ କଥା ଅଛି ମାତ୍ର ଜୀବନ ହେ । ୩ ।

 

ମୁକ୍ତକଣ୍ଠେ ଡାକେ ହରି ଜାଣେ ନାହିଁ ସ୍ତବନ ହେ ।

ଦୟାମୟ କର ଶୀଘ୍ର ଆରତର ଅବନ ହେ । ୪ ।

———————

 

ରାଗ ଗୁପ୍ତ-ତାଳ ତ୍ରିପୁଟା

 

ଅକୁଳ ଭୁବନାନନ୍ଦ-ଜଳଧିରେ ସକୁଳରେ ।

ମାୟାଜାଲ କାଟି ସୁଖେ ଖେଳ ଚିତ୍ତ-ଶକୁଳରେ । ପଦ ।

 

ବହେ ତହିଁ ଧୀର ଧୀର, ସର୍ବଦା ଶାନ୍ତି ସମୀର,

କରାଳ କାଳ-ଚିଲର, ବସା ନାହିଁ ତା କୂଳରେ । ୧ ।

 

ତହିଁ ଧୀବର ରତୀଶ, ଧରି ବିଷୟ ବଡ଼ୀଶ,

ଜଳଜନ୍ତୁରେ ଅନିଶ, କରେ ନାହିଁ ଆକୁଳ ରେ । ୨ ।

 

ରହିଲେ ବି ଉପବାସ, ନ ମାଡ଼ନ୍ତି ତାର ପାଶ,

ରୋଗ-ଶୋକ-ଜରା-ନାଶ ଓଧଓତୁ ନକୁଳ ରେ । ୩ ।

 

ମୋର ବୋଲି ମାନି ଭାଇ, ସେଠାରେ ରହିଲେ ଯାଇଁ,

ଲୁଚିବାକୁ ହେବ ନାହିଁ, ପାପପଙ୍କ କୁଳୂଳରେ* । ୪ ।

———————

 

ରାଗ ଭୈରବୀ-ତାଳ ପହପଟ

ତଳ ପତନର ମୂଳ ଏକା ଯୌବନ ।

ଅନନ୍ତବିଳାସମୟ ହୁଏ ଜୀବନ । ପଦ ।

 

ବିବିଧ ସମ୍ଭ୍ରମେ ଭ୍ରାନ୍ତ ହୁଅଇ ମନ ।

ତରୁଣେ ଅଧୀନ ଏଣୁ କରେ ମଦନ । ୧ ।

 

ସଦା ନାନା ଉପଦ୍ରବ ହେତୁ ବ୍ୟସନ ।

ଯୁବକ ହୃଦୟେ ବିରଚନ୍ତି ସଦନ । ୨ ।

 

କାମ କ୍ରୋଧ ଆଦି ରିପୁ ହୋଇ ବର୍ଦ୍ଧିତ ।

କରନ୍ତି ତରୁଣ ପ୍ରତିଭାରେ ପୀଡ଼ିତ । ୩ ।

 

ଗନ୍ଧର୍ବନଗର ତୁଲ୍ୟ ମନୋରଞ୍ଜନ ।

ଅଚିରେ କାଳଗର୍ତ୍ତରେ ଲଭେ ଗୋପନ । ୪ ।

*ଶଙ୍କୁସଙ୍କୀର୍ଣ୍ଣଗର୍ତ୍ତ ।

 

ଅପାତମଧୁର ପରିଣାମେ ଗରଳ ।

ମାନବର ପ୍ରକୃତିକୁ କରେ ତରଳ । ୫ ।

 

ଏ ଦଶାରେ ସାବଧାନ ନୁହେ ଯେ ଜନ ।

ନିଶ୍ଚୟ ନରକେ ତାର ହୁଏ ମଜ୍ଜନ । ୬ ।

———————

 

 

ରାଗ ‘ଧରୁ ଧରୁ ଉଡ଼ିଗଲା ପକ୍ଷି’ ବୃତ୍ତେ-ତାଳ ଯତ୍ନ ବା ଛପକା

କାଳି ନ ରଖ ଏ ପରିଚାରେ, ମା, କି ବିଚାରେ । ପଦ ।

କିଏ ଧନ ଆଶେ କିଏ ଅବା ଭୟେ,

ହୁଅନ୍ତି ସୁହୃଦ ସମ୍ପଦ ସମୟେ,

ବିପଦେ ଜନନି ଅଧମ ତନୟେ,

ତୁମ୍ଭ ବିନା କେ ପଚାରେ, ମା । ୧ ।

ମୂଢ଼ ଚିର ତବ ରୁଚିର ଚରଣ,

ଦୃଢ଼ଭାବେ ମନେ ନ କରି ଶରଣ,

ଲୋଡ଼ି ଆଣିଅଛି ଆପଣା ମରଣ,

ନିଜକୃତ ଅନାଚାରେ, ମା । ୨ ।

ଛାଡ଼ି ସ୍ନେହ ଆଜି ଅତ୍ୟନ୍ତ ନିର୍ଦ୍ଦୟେ,

ତାଡ଼ି ରୋଗଟଙ୍କେ ନେବାକୁ ନିରୟେ,

ଏହା ଜୀବସୁରତରୁକୁ ଅଭୟେ,

ବେଢ଼ିଲେଣି କାଳଚାରେ, ମା । ୩ ।

କୁପୁତ୍ର ଜନମେ କୁମାତା କଦାପି

ନୁହେଁ, ଏ ପ୍ରବାଦ ଅଟେ ବିଶ୍ୱବ୍ୟାପୀ,

କୃପାକର ଆଶୁ କୃପାମୟି ପାପୀ,

ନରକେ ଯାଏ ନାଚାରେ, ମା । ୪ ।

 

ଅପରାଧ କ୍ଷମା କରି ଏହା ପ୍ରତି,

ବିଧାନ ନ କଲେ ତୁମ୍ଭେ ସଦଗତି,

ଭବାନି କି ଲାଭ ହୋଇବ ସମ୍ପ୍ରତି,

ଲୋକେ ଅଯଶ ପ୍ରଚାରେ, ମା । ୫ ।

———————

 

ରାଗ ‘କୀର୍ତ୍ତନ ସ୍ୱର’-

 

ଆନନ୍ଦଚିତ୍ତରେ, ନିତ୍ୟ ପ୍ରଭାତରେ,

କର ଏହି ନାମକୀର୍ତ୍ତନ ।

ପାପ ଧୂମକେତୁ, ସୁଖଶାନ୍ତି ହେତୁ,

ସଂସାର-ବନ୍ଧନ କର୍ତ୍ତନ । ପଦ ।

 

ଶ୍ରୀରାମଶଙ୍କର, ଦୁର୍ଗା ଗଣେଶ୍ୱର, ହରି ଶିବ ଶିବା ତପନ ।

ଶ୍ରୀକଣ୍ଠ ଗୋପାଳ, ଈଶ କାଳକାଳ, କାଳିକା କାଳୀୟସୂଦନ । ୧ ।

 

ବିଶ୍ୱନାଥ ହର, ବିଷ୍ଣୁଚକ୍ରଧର, ଉମାପତି ଗଜବଦନ ।

ଭଗବାନ ମୃଡ଼, କୃଷ୍ଣଚନ୍ଦ୍ରଚୁଡ଼, ଭବାନୀ ଶ୍ରୀମଧୁସୂଦନ । ୨ ।

 

ଅନନ୍ତ ମାରାରି, ଶିବାନୀ ଦୈତ୍ୟାରି, ଗଣନାୟକ ଜନାର୍ଦ୍ଦନ ।

ଉମା ଗଦାଧର, ଶମ୍ଭୁବିଶ୍ୱମ୍ଭର, କାତ୍ୟାୟନୀ ପୁରନାଶନ । ୩ ।

 

ଅନ୍ଧକଦଳନ, ଧୃତଗୋବର୍ଦ୍ଧନ, ଭଗବତୀ ବୃଷବାହନ ।

ଲକ୍ଷ୍ମୀ ସରସ୍ୱତୀ, ସୁଭଦ୍ରା ରେବତୀ, ବଳଭଦ୍ର ଶେଷ ଶୟନ । ୪ ।

———————

 

ରାଗ ଭୈରବୀ-ଝୁଲା

 

ବିଶ୍ୱପାବନ, ରହିଛ ତୁମ୍ଭେ କେଉଁ ଦେଶରେ । ପଦ ।

ସ୍ଥୂଳ ସୂକ୍ଷ୍ମ ପ୍ରକାରେ, କିଅବା ନିରାକାରେ,

କିବା ଲୋକମୋହନ ବେଶରେ । ୧ ।

ରମା ଅନୁରାଗରେ, ସୁଖେ କ୍ଷୀରସାଗରେ,

କରିଛ କି ଶୟନ ଶେଷରେ । ୨ ।

ବେଦ ତୁମ୍ଭ ମହିଁମା, ଗାଏ ନ ଜାଣେ ସୀମା,

ଅନ୍ୟ କେ ବୁଝେ ତାର ଲେଶ ରେ । ୩ ।

ଲୁଚିଲେ ଛାଡ଼ିବି କି, ଶ୍ରୀପଦେ ପ୍ରାଣବିକି,

ଦେଖିବି ଦିନେ ଅବଶେଷରେ । ୪ ।

 

ରାଗ ‘ମାନଉଦ୍ଧାରଣ କର ହେ କାରଣ’ ବୃତ୍ତେ-ତାଳ କଓ୍ୟାଲି

 

ତୋ ଅନୁସରି, ମୁଁ ଏତେସରି,

ହେଲି କିପାଁ ନୀଳାଚଳକେଶରୀ । ପଦ ।

 

ବିପଦ-ଦ୍ୱିରଦ ବିଶ୍ୱପାଳନ, ସୁଖ-ନଳିନୀ କରି ଉନ୍ମୂଳନ,

ଶୁଣ୍ଢାଦଣ୍ଡେ କଳି ପାଦଘାତେ ଦଳି,

ଉଡାଇ ଦେଲା ତାକୁ ଧୂଳିସରି, ହେ ହରି । ୧ ।

 

ଟାଳି ଦେଲାଣି ଧୈର୍ଯ୍ୟ-ମହୀରୁହ, ଏଣୁ ଶାନ୍ତିଲାଭ ମୋର ଦୁରୂହ,

ନେବ ଏ ପରାଣ, ଦେଲେ ତବ ରାଣ,

ଯାଉ ନାହିଁ ତିଳେ ସେ ଅପସରି, ହେ ହରି । ୨ ।

 

ଆର୍ତ୍ତତ୍ରାଣ ଯେବେ ହୋଇ ନିରାଶ, ଲଭିବ ଅକାଳେ ତୋ ଦାସ ନାଶ,

ତେବେ ଦୟାମୟ, ତୁମ୍ଭର ନିଶ୍ଚୟ,

ତ୍ରିଲୋକରେ ନିନ୍ଦା ଯିବ ପ୍ରସରି, ହେ ହରି । ୩ ।

 

ସ୍ୱାର୍ଥପର ଦେଖି ନିଖିଳ ରସା, କରିଛି ମୁଁ ନାଥ ତୋତେ ଭରସା,

କଲେ ମୋର ପ୍ରତି, କରୁଣା ସଂପ୍ରତି,

କରୁଣାଭଣ୍ଡାର ଯିବକି ସରି, ହେ ହରି । ୪ ।

———————

 

ରାଗ ‘ଲାଖି ରହିଲା ଆଖି ସଖି’ ବୃତ୍ତେ-ତାଳ ଏକତାଳି

 

ଘାରି ରହିଛ ହରି ତୁମ୍ଭେ କେଉଁ ଗରଳେ ।

ଦୀନ କ୍ରନ୍ଦନେ ଦିନେ ମାନସ ନ ତରଳେ । ପଦ ।

 

ମୁକୁଳିତ ନୟନେ ଶେଷଫଶିଶୟନେ,

କଳପାନ୍ତେ ନିଦ୍ରିତ ଥିଲ କ୍ଷୀରଧିଜଳେ । ୧ ।

 

ଇନ୍ଦ୍ରଜିତ ପ୍ରେରିତ, ନାଗପାଶେ ପତିତ,

ହୋଇଥିଲ ତ୍ରେତାରେ ଲଙ୍କା ସମର ସ୍ଥଳେ । ୨ ।

 

କଂସାସୁର ଆଦେଶେ, ଗୋପେ ମୋହିନୀ ବେଶେ,

ପିଆଇଲା ପୂତନା ବିଷାକ୍ତ ସ୍ତନ୍ୟ ଛଳେ । ୩ ।

 

ପଶି କାଳନ୍ଦୀହ୍ରଦେ, ପଦ୍ମ ତୋଳୁଁ ପ୍ରମଦେ,

କାଳୀୟ ଦଂଶିଥିଲା ଶ୍ରୀଚରଣକମଳେ ।୪।

 

ଗରଭଗିନୀ ରମା, ତୁମ୍ଭର ପ୍ରିୟତମା,

କୃପାନେତ୍ର ଢାଙ୍କିଲେ ସେ କି ପ୍ରେମପରଳେ ।୫।

 

ନୀଳକଣ୍ଠେ ଅଭେଦ, ତବ ବୋଲଇ ବେଦ,

ଆକ୍ରାନ୍ତ କି ତାଙ୍କର ନିପୀତ ହଳାହଳେ । ୬ ।

 

ବୋଲଇ ଦାମୋଦର, ଗାଳିରେ ଦେବ ବର

ଯେହେତୁ ନୀତି ନୁହେଁ ବିନତି ଅସରଳେ । ୭ ।

———————

 

ରାଗ ତୋଡ଼ିପରଜ-ତାଳ ଆଦିତାଳ

 

କାହାକୁ ନ ଦିଅ କିସ, ଜଗଦୀଶ ।

ଭଲ ମନ୍ଦ କଥା ନ ବାରି ସର୍ବଥା ପାଇଲେ କିଛି ଜିନିଷ । ପଦ ।

 

ରାମ ଅବତାରେ ଦେଲା ଖାଇବାକୁ

ଅଇଁଠା ଫଳ ଶବରୀ ।

ପଠାଇଲ ସେହିକ୍ଷଣି ରଘୁମଣି

ତାକୁ ସ୍ୱରଗ ନଗରୀ । ୧ ।

 

ଶ୍ରୀଦାମ ବିପ୍ରର ପୃଥୁକ ତଣ୍ଡୁଳ

ଏକ ମୁଠି କରି ଗ୍ରାସ ।

ଇହଲୋକେ ଦେଲ କୁବେର ବିଭୂତି

ଅନ୍ତେ ନିଜପୁରେ ବାସ । ୨ ।

 

ବିଷ ଦେଇ କଂସଭଗିନୀ ପୂତନା

ଲଭିଲା ସାଯୁଜ୍ୟ ମୁକ୍ତି ।

ବୈକୁଣ୍ଠରେ ସ୍ଥାନ ଦେଲ ଶିଶୁପାଳେ

କହିବାରୁ କଟୁ ଉକ୍ତି । ୯ ।

 

 

 

ମୁଁ ଆଜି ଚରଣତଳରେ ପରାଣ

କରିଅଛି ସମର୍ପଣ ।

କାହିଁକି ଅଚିରେ ମୋର ଘୋର ଦୁଃଖ

ନ ହରୁଛ ନାରାୟଣ । ୪ ।

———————

ରାଗ ‘ବଡ଼ମାୟାବୀ ଜୀବ ନୋହେ କାହାରି’ ବୃତ୍ତେ-ତାଳ ଆଡ଼ତ୍ରିପଟା

ହେ ବିଶ୍ୱ-ଈଶ୍ୱର ନିସ୍ୱ ସର୍ବସ୍ୱ ରାମ ।

ବାମନ ବନମାଳୀ ବାରିଦଶ୍ୟାମ । ପଦ ।

ଦୀନବନ୍ଧୁ କୃପାସିନ୍ଧୁ ରଙ୍ଗାଅଧର, ଗୋପ ଗୋପାଳ-ବଲ୍ଲଭ ଶାରଙ୍ଗଧର

(ପଡ଼ି) ମୁକୁନ୍ଦ ଜନାର୍ଦ୍ଦନ, କଂସକେଶି-ମର୍ଦ୍ଦନ,

ପରମାନନ୍ଦ ବିଭୁ ତୁଳିତଗୋବର୍ଦ୍ଧନ,

ବଳଦେବ ଶ୍ରୀଦାମବିପ୍ର ସୁଖ-ବର୍ଦ୍ଧନ,

ରମାରମଣ ପୂର୍ଣ୍ଣକାମ । ୧ ।

ବଳିଧ୍ୱଂସୀ ବଂଶୀପାଣି କୃଷ୍ଣ ମୁରାରି, ଅନନ୍ତ ଅଚ୍ୟୁତଭକ୍ତଉଦ୍ଧାରକାରୀ,

(ପଡ଼ି) ଗରୁଡ଼ଧ୍ୱଜ ହରି, ଭବସାଗର-ତରି,

ବୈକୁଣ୍ଠ ଅଧୋକ୍ଷଜ ତାପଦ୍ୱିପ-କେଶରୀ,

ପୀତାମ୍ବର ଗୋବିନ୍ଦ ପଦ୍ମନାଭ ଶ୍ରୀହରି,

ଶ୍ରୀବତ୍ସ ବିଷ୍ଣୁ ଆତ୍ମରାମ । ୨ ।

 

 

ଦଇତ୍ୟାରି କୃପାମୟ ଶେଷଶୟନ, ବିଶ୍ୱମ୍ବର ନିତ୍ୟାନନ୍ଦ ପଦ୍ମନୟନ,

(ପଡ଼ି) ଜଗତର କାରଣ, ସୁରକ୍ଷିତ ବାରଣ,

ରାଧାନାଥ ମାଧବ କ୍ଷୀରଧିପରାୟଣ,

ବିଧୁ ମଧୁସୂଦନ ଉପେନ୍ଦ୍ର ନାରାୟଣ,

ବ୍ରଜସୁନ୍ଦର ଶାନ୍ତି ଧାମ । ୩ ।

 

ଦାମୋଦର ଦାଶରଥି ଦୟାନିଧାନ,

କାଳୀୟଦର୍ପଦଳନ ମୁକ୍ତିନିଦାନ,

(ପଡ଼ି) ଶ୍ରୀନିବାସ ଶ୍ରୀପତି,

ନିଖିଳ ଲୋକ ଗତି,

ରତିପତିଜନକ ସ୍ଥୂଳ ସୂକ୍ଷ୍ମ ମୂରତି,

ପୁରୁଷୋତ୍ତମ ଚତୁର୍ଭୁଜ ପୁଣ୍ୟ କୀରତି,

ତ୍ରିଭୁବନପାବନ ନାମ । ହେ । ୪ ।

———————

 

ରାଗ ‘ପୀରିତି କରବୋ ନା ଗୋ ପ୍ରାନ’ ବୃତ୍ତେ-ତାଳ ଖେମଟା

 

ହରି ହୋଇଲେ ଅଦୟ ।

ହରିବ କେ ଦୀନଭୟ । ପଦ।

 

 

ରାଜୀବରାଜି କି ରାଜିବ ସରେ,

ଜାଗିବେ କି ଜନେ ନିରଳସରେ,

ହଟିବ କି ତମ ଘଟିବ କି କ୍ରମ,

ନ ହେଲେ ଭାନୁ ଉଦୟ । ୧ ।

 

ଶୁଖିଯିବ ଯେବେ ସପ୍ତସାରେ,

କିବା ସବୁ ନୀର ହୋଇବ ରେ,

ସେହି ସେହି ବନେ ରହିବେ ଜୀବନେ,

ତେବେ କି ମୀନନିଚୟ । ୨ ।

 

ସୀମାଲଙ୍ଘି ଯେବେ ବେଗେ ବହିବ,

ଭୀମାକୃତି ସୁଦ୍ଧା ତା ନ ସହିବ,

କିବା ସଦାଗତି ନିବାରେ ସ୍ୱଗତି,

ତେବେ ତ ବିଶ୍ୱର ଲୟ । ୩ ।

 

ଜୀବଜୀବ ! କୀଟ ପତଙ୍ଗ ନର,

ଜୀବନରକ୍ଷଣ ହେତୁ ଅନ୍ନର,

ଦେବକୀ ମୋଚନ ହେବ କି ପଚନ,

ନ ଜଳିଲେ ଧନଞ୍ଜୟ । ୪ ।

 

 

ସୁଧାକର ହେଲେ ସୁଧାକୃପଣ,

ସୁଧା ନୁହେଁ କିସେ ଭାବି ଆପଣ,

ବିପଦେ ବିନାଶ, ଶ୍ରୀପଦେ ନିବାସ,

କରୁଣାବରୁଣାଳୟ । ୫ ।

———————

 

ରାଗ କେଦାର କାମୋଦୀ-ତାଳ ତ୍ରିପଟା

 

ଗ୍ରୀଷ୍ମଶେଷେ ଆସିଲା ଘୋର ବରଷା ।

ସଲିଳଭରେ ଭରା ହୋଇଲା ରସା ଯେ । ୧ ।

 

ଆନନ୍ଦେ ମତ୍ତ ହୋଇ ଶିଖି କଳାପ ।

ନାଚିଲେ ଗିରିଶିଖେ ଟେକି କଳାପ । ୨ ।

 

କୁମୁଦିନୀ କହ୍ଲାର ଫୁଟିଲେ ସରେ ।

କହିଲେ ମାଳତୀର ଶୋଭା ନ ସରେ । ୩ ।

 

ପ୍ରକୃତି ଦେବୀ ଅବତଂଶନୀକାଶ ।

ପ୍ରତିକତ୍ସେ ଶିଳିନ୍ଧ୍ର କଲେ ବିକାଶ । ୪ ।

 

ବୁଡ଼ାଇ କୂଳ କଳକଳେ ସରିତେ ।

ଧାଇଁଲେ ସିନ୍ଧୁଅଭିମୁଖେ ତ୍ୱରିତେ । ୫ ।

 

କେତକୀ ଗନ୍ଧେ ଗଲା ଦିଗ ଚହଟି ।

ଏ ରୀତି ଦେଖି ପିକେ ପଡ଼ିଲେ ହଟି । ୬ ।

 

ପାପପଙ୍କେ ହୃଦୟ ତୁଲ୍ୟ ଗଗନ ।

ନୀଳନୀରଦେ ସଦା ହେଲା ମଗନ । ୭ ।

 

ନିରତ ଗରଜିଲେ ଭେକକଦମ୍ବ ।

ବିକସିଲେ କାନନେ ଜାତୀ କଦମ୍ବ । ୮ ।

 

ମଳିନ କାଳ ଦେଖି ଦୁଃଖ ମାନସେ ।

ବହି, ମରାଳେ ପକାଇଲେ ମାନସେ । ୯ ।

 

ରବିଦର୍ଶନ ହେଲା ସ୍ୱପନ ସମ ।

ବହିଲା ନିତି ଝଞ୍ଜାବାତ ବିଷମ । ୧୦ ।

 

ହୀରାଖଚିତ ସରି ଜ୍ୟୋତିରିଙ୍ଗଣେ ।

ଶୋଭିଲେ ସରତଟ-ପାଦପଗଣେ । ୧୧ ।

 

ଯାହାଙ୍କ ଆଦେଶେ ଏ ପରିବର୍ତ୍ତନ ।

ସେ ଈଶପଦେ ହୃଦ କରୁ ନର୍ତ୍ତନ । ୧୨ ।

 

ଦାମୋଦର ମିଶ୍ରର ଏହି ଭାବନ ।

ରାମ ନାମ ଉଚ୍ଚାରି ଯାଉ ଜୀବନ । ୧୩ ।

———————

 

ରାଗ ଶଙ୍କରାଭରଣ-

ବିଶ୍ୱନାଥ ଭବଜଳେ ଦିଅ ନା ଭସାଇ ।

ସଦୟେ ପାମରେ ନିଅ ସଙ୍ଗରେ ମିଶାଇ ।

ଭକ୍ତିକ୍ଷେତ୍ରକୁ ତସାଇ ।

ପାରିବ ନାହିଁ ଏ ତୁମ୍ଭ ମାନସ ରସାଇ । ୧ ।

 

ଭକ୍ତବତ୍ସଳ କରୁଣାମୟ ମୁକ୍ତିଦାନୀ ।

ଏଥିରେ କିଛି ସୃଷ୍ଟିର ହେବ ନାହିଁ ହାନି ।

ଶ୍ରୁତି ବୋଲେ ଏହିରୂପେ ।

ମିଳାଇଅଛ ଅନେକ ପ୍ରାଣୀ ନିଜରୂପେ । ୨ ।

 

ବିସପ୍ରସୂନଜ ସୃଷ୍ଟି କରିବେଟି ଯେବେ ।

ଏହାର ଶୁଭ କରମ ସୃଜନ୍ତୁ ସେ ତେବେ ।

ବିଷ୍ଣୁ ପାଳିଲେ ଜଗତ ।

ଜନମ ମରଣୁଁ ରକ୍ଷା କରନ୍ତୁ ସତତ । ୩ ।

 

 

ସଂହାର କରିବେ ଯେବେ ଭଗବତୀପତି ।

ତେବେ ଜନ୍ମାନ୍ତର ସହ ଶୋକର ବିହତି ।

କଲେ ହେବ ନାହିଁ କ୍ଷତି ।

ସୃଜନେ ପାଳନେ କିବା ବିନାଶେ ସଂପ୍ରତି । ୪ ।

 

ବ୍ରହ୍ମାନନ୍ଦେ ହୋଇଅଛି ଏହି ବର୍ତ୍ତମାନ ।

ତାହା ମଧ୍ୟ ଅଟ ତୁମ୍ଭେ ପ୍ରଭୁ ଭଗବାନ ।

ଏକା ଭେଦର କାରଣ ।

ନିଜର ମାୟାରେ କରି ଦିଅନ୍ତୁ ବାରଣ । ୫ ।

———————

 

ରାଗ-

 

ମନମାତଙ୍ଗ, ଛାଡ଼ କୁସଙ୍ଗ (ଚଗଲା ଢଙ୍ଗ)

ଆହୁରି ବିଷୟବିଷ ପ୍ରସଙ୍ଗ । ପଦ ।

 

ଯାହା ନବ ନବ କରୁ ଅନୁଭବ,

ସେ କେବଳ ଭବ ରଙ୍ଗତରଙ୍ଗ

ବିକରାଳ କାଳ-ଅନଳ ଆବାଳ,

ସ୍ଥବିର ଅକାଳେ କରେ ପତଙ୍ଗ । ୧ ।

 

ସଦା ପ୍ରେମବଶେ ଯାହାର ମାନସେ,

ଅସମ ସାହସେ ଖେଳେ ଅନଙ୍ଗ ।

କିବା ନାରୀକୋଳେ ଲୋଟଇ ଯେ ଭୋଳେ,

ଧିକ୍‌ତାନ୍ ଧିକ୍‌ତାନ୍ ବୋଲେ ଜଡ଼ ମୃଦଙ୍ଗ । ୨ ।

 

ହୃଦୟ ମାଣିକ୍ୟ ସହସା କ୍ଷଣିକ,

ତେଜି ଜାଗତିକ ସୁଖ ଆସଙ୍ଗ ।

ଭଜ ଅଭୀତିରେ ଶ୍ରୀରାମେ ନିତି ରେ,

ତାଙ୍କ ନିକିତିରେ ନାହିଁ ପାସଙ୍ଗ । ୩ ।

 

ହୁଅ ତାଙ୍କ ଦାସ କରଇ ପ୍ରକାଶ,

ସୃଷ୍ଟି ସ୍ଥିତିନାଶ ଯାର ଭ୍ରୂଭଙ୍ଗ ।

ଭାଷେ ଦାମୋଦର ନାମ ଯାହାଙ୍କର,

ହରେ ଭକତର ଭୂରି ଆତଙ୍ଗ । ୪ ।

———————

 

ରାଗ ‘ଆରେ ମୋହନ ଛୁଅଁନା ମୋ ତନୁ’ ବୃତ୍ତେ-ତାଳ ଏକତାଳି

 

(ଆରେ ଆରେ) ମାନବ, ତୁ କି ଦେଖିନାହୁଁ;

ପରାଣ ରୀତିଗତି ଏ ପରା ରେ । ପଦ ।

ସଞ୍ଚିତ ଭୋଗ ସାରି ଭବୁଁ ଯାଏ ବାହାରି,

ଆପଣା କୃତପଥେ କେହି ନୁହେ କାହାରି,

କେବଳ ବାଚନିକ କ୍ଷଣସଙ୍ଗୀ ସକଳେ,

ଅନ୍ୟତ୍ର ଲଭେ ଉଦଭବ । ୧ ।

 

ନାନା ଅଯଥା କାମ ହେତୁରୁ ଅବିରାମ,

ବୁଲୁଥାଏ ଜଗତେ ନାହିଁ ତାର ବିଶ୍ରାମ,

ତଥାପି ସେ ଉଦ୍ଦାମ ହୁଅନ୍ତି ବେଳୁଁ ବେଳ,

ଶେଷରେ ଲାଭ ପରା-ଭବ । ୨ ।

 

ନୀତି ଅବା ଅନୀତି କରମେ ନିତି ନିତି

ଭରମେ ଧନଲାଗି ପାସୋରି ଯମଭୀତି,

ଶରମ ମାତ୍ର ସାର ପରଲୋକଗମନେ,

ଶମ୍ବଳ ହୁଏ କି ବିଭବ । ୩ ।

 

ଭୂରି ଭୂରି ଉପାୟ କରି ଜନ୍ମ-ଅପାୟ,

ତରି ନ ପାରେ ମାୟାଜାଲେ ଆବୃତକାୟ,

ସେ ରାମନାମ ବିନା କାହିଁ ତାହାର ଶାନ୍ତି,

ସଦା ଜପନ୍ତି ଯାହା ଭବ । ୪ ।

———————

 

ସମ୍ପୂର୍ଣ୍ଣ